କଣ୍ଠ ସ୍ୱରରୁ ଚିହ୍ନଟ ହେବ ରୋଗ

କୌଣସି ବି ରୋଗର ଚିହ୍ନଟ ପାଇଁ ବ୍ଲଡ, ସିଟି ସ୍କାନ କିମ୍ବା ଅନ୍ୟ କିଛି ଯାଞ୍ଚ କରାଇବାକୁ ପଡିଥାଏ । କିନ୍ତୁ ଏବେ କଣ୍ଠସ୍ୱରରୁ ରୋଗର ଚିହ୍ନଟ କରାଯାଇ ପାରିବ । ଆମେରିକା ଫ୍ଲୋରିଡା ୟୁନିଭରସିଟିର ହେଲ‘ ଭଏସ୍‌ ସେଣ୍ଟର ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ ୩୦ହଜାର ପ୍ରକାର ସ୍ୱରର ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି ।

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ବେସଡ୍‌ ଏହି ଟେକନିକ୍‌ର ଉପଯୋଗ ଅଲଝାଇମର ଠାରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ରୋଗର ଚିହ୍ନଟ ପାଇଁ କରାଯାଇପାରିବ । ଅଧ୍ୟୟନରେ ସାମିଲ ଜଣେ ପ୍ରଫେସର କହିଛନ୍ତି, ଯେଉଁ ବ୍ୟକ୍ତିଙ୍କର ସ୍ୱର ବହୁତ ଧୀମା କିମ୍ବା ପିଚ୍‌ ଟୋନ୍‌ ଲୋ ରହିଥାଏ ସେ ପାର୍କିନସନ୍‌ ରୋଗରେ ପୀଡିତ ହୋଇଥାନ୍ତି । ଏହିପରି କଣ୍ଠସ୍ୱରରେ ଅଚାନକ ଭାରିପଣ ଆସିଲେ ଷ୍ଟ୍ରୋକ୍‌ର ଆଶଙ୍କା ବଢିଯାଏ । ଅନ୍ୟପକ୍ଷରେ ରହି ରହି କଥା କହିବା ପାରାଲିସିସ୍‌ ହେବାର ସଂକେତ ଦେଇଥାଏ । ଏହିପରି ଅନ୍ୟ ପ୍ରକାର ସ୍ୱରର ଆଧାରରେ ରୋଗର ଚିହ୍ନଟ ହୋଇଥାଏ ।

ଏହାର ଯାଞ୍ଚ ପାଇଁ ଲୋକମାନଙ୍କୁ ଆପ୍‌ରେ ଆସିଥିବା ମେସେଜ୍‌କୁ ପଢିବାକୁ ପଡିବ । ବଡି ଟେକ୍‌ କମ୍ପାନୀ ମଧ୍ୟ ଏ ବିଷୟରେ ଦ୍ରୁତ ଗତିରେ କାମ ଜାରି ରଖିଛି । ଭଏସ୍‌ ଆସିଷ୍ଟାଣ୍ଡ ପ୍ରସ୍ତୁତ କରାଯାଉଛି । ଯେପରିକି ଆମାଜନ୍‌ର ଏଲେକ୍ସା ସ୍ୱରରେ ପରିବର୍ତ୍ତନ ଆସିଲେ ମେସେଜ୍‌ ଦେଇଥାଏ ଆପଣଙ୍କୁ ଥଣ୍ଡା କି ଜ୍ୱର ହୋଇଛି ଓ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏପରି ହେବା ଦ୍ୱାରା ଆପଣଙ୍କୁ ବହୁ ବଡ ବଡ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଗୁଆ ସୂଚନା ମିଳିଯିବ ଓ ଆପଣ ଠିକ୍‌ ସମୟରେ ରୋଗର ଚିକିତ୍ସା କରାଇପାରିବେ ।

Comments are closed.