ଭୁବନେଶ୍ୱର : କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ହାଇକୋର୍ଟ ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ I ୨୦୨୨ ଡିସେମ୍ବର ୩୦ରେ ବାହାରି ଥିବା କନେଷ୍ଟବଳ ନିଯୁକ୍ତି ବିଜ୍ଞାପନରେ ସର୍ବାଧିକ ବୟସ ସୀମାକୁ ୪ ବର୍ଷ ପର୍ଯ୍ୟନ୍ତ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।
୨୦୨୨ ଡିସେମ୍ବର ୩୦ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୪ ହଜାର ୭୯୦ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୨୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ କହିଛନ୍ତି। ଓଡ଼ିଶା ପୁଲିସ ଅର୍ଡର, ୨୦୨୧ର ଅର୍ଡର-୧୭ ଦ୍ବାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥରକ ପାଇଁ ବୟସସୀମା ୪ ବର୍ଷ କୋହଳ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋଭିଡ ପାଇଁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପରିକ୍ଷା ହୋଇ ନଥିବାକୁ ବୟସ ସୀମା କୋହଳ କରାଯାଇଥିବା ଜଣାପଡିଛି ।
୨୦୨୨ ମସିହାରେ କନେଷ୍ଟବଳ ନିଯୁକ୍ତି ପାଇଁ ଓଡିଶା ଷ୍ଟେଟ ପୋଲିସ ସିଲେକସନ ବୋର୍ଡ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ୧୮ରୁ ୨୩ ବର୍ଷ ବୟସ ସୀମା ରହିଥିଲା। ଏହାକୁ ଚାଲେଞ୍ଜ କରି ନଗେନ ଭୋଇ ଓ ଅନ୍ୟ ମାନଙ୍କ ପକ୍ଷରୁ ୧୫ ରୁ ଉର୍ଦ୍ଧ୍ବ ମକଦ୍ଦମା ଦାୟର କରାଯାଇଥିଲା। ୨୦୧୮ ମସିହା ପରଠାରୁ କନେଷ୍ଟବଲ ନିଯୁକ୍ତି ଆଉ ବିଜ୍ଞପ୍ତି ପ୍ରକାଶ ପାଇନଥିଲା ଏବଂ କରୋନା କାରଣରୁ ୨ ବର୍ଷ ମଧ୍ୟ ହାତରୁ ଚାଲିଯାଇଥିବାରୁ ଯୋଗ୍ୟ ପ୍ରାର୍ଥୀ ମାନେ ସୁଯୋଗ ପାଇନଥିଲେ। ତେଣୁ ସେମାନଙ୍କ ପାଇଁ ବୟସ ସୀମା କୋହଳ କରାଯାଉ ବୋଲି ଆବେଦନ କରି କିଛି ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଶେଷ ଥର ପାଇଁ ୨୦୧୮ରେ କନେଷ୍ଟବଳ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୪ ବର୍ଷ ପରେ ୨୦୨୨ରେ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ଚାରି ବର୍ଷ ଭିତରେ ସୃଷ୍ଟି ହୋଇଥିବା ପଦବି ଗୁଡିକୁ ନେଇ ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ବୟସସୀମା ମଧ୍ୟ ୪ ବର୍ଷ କୋହଳ କରାଯିବା ଅବାଶ୍ୟକ I ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୪ ବର୍ଷ ଧରି ନିଯୁକ୍ତି ହୋଇ ନଥିବାରୁ ସବୁ ବର୍ଗରେ ୪ ବର୍ଷ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଚଳିତ ବିଜ୍ଞପ୍ତି ପାଇଁ ସମୟସୀମା ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି। ଏହି ଆବେଦନରେ ଆବେଦନକାରୀ ଦର୍ଶାଇଥିଲେ ଯେ ଓଡିଶା ସିଭିଲ ସର୍ଭିସ ଅପର ଏଜ ଫିକ୍ସେସନ ରୂଲ ୨୦୨୧ ଅନୁଯାୟୀ ରାଜ୍ୟରେ ସବୁ ନିଯୁକ୍ତିରେ ସର୍ବାଧିକ ବୟସ ସୀମା ୩୨ ରୁ ୩୮ କୁ ବୃଦ୍ଧି ହୋଇଥିବା ବେଳେ ପୋଲିସ କନେଷ୍ଟବଳ ନିଯୁକ୍ତିରେ ମଧ୍ୟ ତାହା କରାଯାଉ। ଏଭଳି ଯୁକ୍ତିକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହିତ ପୋଲିସ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପୋଲିସ କନେଷ୍ଟବଳ ନିଯୁକ୍ତି ବିଜ୍ଞାପନକୁ ଖାରଜ ନ କରି ପ୍ରାର୍ଥୀ ମାନଙ୍କୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
Comments are closed.