ଆଡିଲେଡ୍ : ଟି-୨୦ ବିଶ୍ୱକପର ସୁପର-୧୨ ଗ୍ରୁପ-୨ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ । ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଆଡିଲେଡ୍ରେ ଆରମ୍ଭ ହେବ । ସେମିଫାଇନାଲ ଦୃଷ୍ଟିରୁ ଏହି ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ, କାରଣ ପୂର୍ବ ମ୍ୟାଚରେ ଟିମ୍ ଇଣ୍ଡିଆ ଦ.ଆଫି୍ରକା ନିକଟରୁ ହାରିଯାଇଥିଲା । ତେଣୁ ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ପୁଣି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି ମେନ୍ ଇନ୍ ବ୍ଲୁ ।
ଭାରତ ଏଯାଏଁ ୩ଟି ମ୍ୟାଚ୍ ଖେଳିଛି । ଏଥିରୁ ଦୁଇଟିରେ ବିଜୟ ଓ ଗୋଟିଏ ହାରିଛି । ବାଂଲାଦେଶ ମଧ୍ୟ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଦ.ଆଫି୍ରକା ଠାରୁ ମ୍ୟାଚ ହାରିଛି । ପଏଣ୍ଟ ଟେବୁଲର ଭାରତ ୨ ନମ୍ବର ସ୍ଥାନରେ ରହିଛି । କାରଣ ବାଂଲାଦେଶ ତୁଳନାରେ ଟିମ୍ ଇଣ୍ଡିଆର ରନ ରେଟ୍ ବଲ ଅଛି । ସେମିଫାଇନାଲ ଯିବାକୁ ହେଲେ ଭାରତକୁ ଶେଷ ଦୁଇଟିଯାକ ମ୍ୟାଚ୍ରେ ଜିତିବାକୁ ପଡ଼ିବ ।
ଏଭଳି ପରିସ୍ଥିତିରେ ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବର୍ଷା ପ୍ରତିବନ୍ଧକ ସାଜିବାର ଆଶଙ୍କା ପ୍ରକାଶ ପାଇଛି । ବେଶ କିଛିଦିନ ହେବ ଆଡିଲେଡ୍ରେ ବର୍ଷା ହେଉଥିବାରୁ ଭାରତ-ବାଂଲାଦେଶ ମ୍ୟାଚ୍ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସନ୍ଧ୍ୟାରେ ଆକାଶ ମେଘାଛନ୍ନ ରହିବ । ୬୦% ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୨୦ରୁ ୩୦ କିମି ରହିବ । ମଙ୍ଗଳବାର ବର୍ଷା ସମ୍ଭାବନା ଥିବାରୁ ଭାରତର ଅଭ୍ୟାସ ସେସନ ନିର୍ଦ୍ଧାରିତ ସମୟ ପୂର୍ବରୁ କରାଯାଇଥିଲା । ଏପରିକି ସନ୍ଧ୍ୟାରେ ମଧ୍ୟ ଆଡିଲେଡ୍ରେ ବର୍ଷା ହୋଇଥିଲା । ବୁଧବାର ସନ୍ଧ୍ୟାରେ ମଧ୍ୟ ୨.ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଯଦି ବର୍ଷା ଯୋଗୁ ମ୍ୟାଚ ବାତିଲ ହୁଏ, ତେବେ ଦ.ଆଫି୍ରକା ପୂର୍ବଭଳି ପଏଣ୍ଟ ଟେବୁଲର ଶୀର୍ଷରେ ରହିବ । ଭାରତ ଓ ବାଂଲାଦେଶ ୫ ପଏଣ୍ଟ ଲେଖାଏଁ ପାଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବେ । ବର୍ଷା ହେଲେ ପାକିସ୍ତାନ ଓ ଦ.ଆଫି୍ରକା ମ୍ୟାଚର ଗୁରୁତ୍ୱ ବଢ଼ିଯିବ । ଯଦି ପାକିସ୍ତାନ ଦ.ଆଫି୍ରକାକୁ ପରାଜିତ କରେ, ତାହାଲେ ୪ ପଏଣ୍ଟ ସହ ଟେବୁଲର ୪ର୍ଥ ସ୍ଥାନକୁ ଉଠିବ । ଶେଷ ମ୍ୟାଚ୍ରେ ବାଂଲାଦେଶକୁ ଭଟିବ ପାକିସ୍ତାନ । ଯଦି ମ୍ୟାଚ ଜିତେ ତାହେଲେ ପାକିସ୍ତାନର ସେମିଫାଇନାଲ ସୁଯୋଗ ରହିବ । ଆହୁରି ମଧ୍ୟ ଶେଷ ମ୍ୟାଚ୍ରେ ଭାରତ ପ୍ରତିପକ୍ଷ ଜିମ୍ବାେୱକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ । ନଚେତ ବାଂଲାଦେଶ ସହ ନେଟ୍ ରନ୍ରେ ଲଢ଼େଇ କରିବାକୁ ପଡ଼ିବ ।
ଓପନର ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଖରାପ ରହିଛି । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଆବଶ୍ୟକତା ଦଳ ପାଇଁ ଖୁବ କମ । ଶେଷ ମ୍ୟାଚ୍ରେ ୱିକେଟକିପର ଦିନେଶ କାର୍ତ୍ତିକ ବିଫଳ ହୋଇଥିଲେ । ଏସବୁ ଦୃଷ୍ଟିରୁ ବୁଧବାର ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ଦୁଇଟି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବେଞ୍ଚରେ ବସିଥିବା ୱିକେଟକିପର ରିଷଭ ପନ୍ତଙ୍କୁ ଖେଳାଇବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇପାରେ ।
ସମ୍ଭାବ୍ୟ ଭାରତୀୟ ଦଳ
ଲୋକେଶ ରାହୁଲ/ରିଷଭ ପନ୍ତ, ରୋହିତ ଶର୍ମା, ବିରାଟ କୋହଲି, ଦୀପକ ହୁଦା, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଆର ଅଶ୍ୱିନ, ମହମ୍ମଦ ସାମି, ଭୁବନେଶ୍ୱର କୁମାର ଓ ଅର୍ସଦୀପ ସିଂହ ।
ବାଂଲାଦେଶ ଦଳ: ସୌମ୍ୟ ସରକାର, ନାଜମୁଲ ହୁସେନ, ଲିଟନ ଦାସ, ସାକୀବ ଅଲ୍ଲ ହାସନ, ଆଫିଫ ହୁସେନ, ନୁରୁଲ ହାସନ, ମୋସାଦେକ ହୁସେନ, ୟାସିର ଅଲ୍ଲୀ, ତାସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମ୍ମାନ, ହାସନ ମହମ୍ମୁଦ ।
Comments are closed.