ନୌସେନାକୁ ହସ୍ତାନ୍ତର ହେଲା ‘ବିକ୍ରାନ୍ତ’

କୋଚି : ଭାରତୀୟ ନୌସେନାକୁ ହସ୍ତାନ୍ତର ହେଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତର ପ୍ରଥମ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତ । କୋଚିନ ସିପୟାର୍ଡ ପକ୍ଷରୁ ଗୁରୁବାରଦିନ ଏହାକୁ ନୌସେନାକୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ବିମାନବାହୀ ଯୁଦ୍ଧପୋତକୁ ଆସନ୍ତା ଅଗଷ୍ଟ ୧୫, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ଏହା ସହିତ ବିମାନବାହୀ ଯୁଦ୍ଧପୋତ ବା ଏୟାକ୍ରାଫଫ କ୍ୟାରିୟର ଡିଜାଇନ ଓ ନିର୍ମାଣ କ୍ଷେତ୍ରରେ ଭାରତ ବିଶ୍ୱର ଅଳ୍ପ କିଛି ଦେଶଙ୍କ ମଧ୍ୟରେ ସାମିଲ ହେବ । ନୌସେନାରେ ସାମିଲ ହେବା ପରେ ଏହାକୁ କୁହାଯିବ ‘ଆଇଏନଏସ ବିକ୍ରାନ୍ତ’ । ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଗତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବାବେଳେ ୪ର୍ଥ ସାମୁଦି୍ରକ ପରୀକ୍ଷଣ ଗତ ଜୁଲାଇ ୧୦ରେ ସମାପ୍ତ ହୋଇଥିଲା । ଭାରତୀୟ ନୌସେନାର ଡାଇରୋକଫରେଟ୍‌ ଅଫ ନାଭାଲ ଡିଜାଇନ ପକ୍ଷରୁ ଏହି ଯୁଦ୍ଧପୋତର ଡିଜାଇନ୍‌ କରାଯାଇଛି ।

ଏହା ୮୬୦ ଫୁଟ ଲମ୍ବ, ୨୦୩ ଫୁଟ ଚଉଡ଼ା ଓ ଓଜନ ପ୍ରାୟ ୪୫ ହଜାର ମେଟ୍ରିକ ଟନ । ପ୍ରାୟ ୨୩ ହଜାର କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଏଥିରେ ପ୍ରାୟ ୨୧୫୦୦ ଟନ ଓଜନର ସ୍ୱତନ୍ତ୍ର ଗ୍ରେଡ ଷ୍ଟିଲ ଲାଗିଛି । ଏହି ବିମାନବାହୀ ଯୁଦ୍ଧପୋତ ଏତେବଡ଼ ଯେ ଏହାର ଡେକରେ ଦୁଇଟି ଫୁଟବଲ ପଡ଼ିଆ ରହିପାରିବ । ଏଥିରେ ଏକାସମୟରେ ୧୭୦୦ କର୍ମଚାରୀ ରହିପାରିବେ ।

Comments are closed.