କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ଓ ଦଶରଥପୁରରେ ଝାଡ଼ାବାନ୍ତି ରୋଗ ବା ହଇଜା ସଂକ୍ରମଣର କାରଣ ସଂପର୍କରେ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି ।
ଏନେଇ ସେ କହିଛନ୍ତି, କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠି ଭିବ୍ରିଓ କଲେରା ଭୂତାଣୁର ସଂକ୍ରମଣ ହୋଇଛି । ଯେହେତୁ ପାଣିର ଉତ୍ସ ସମସ୍ତଙ୍କ ଲାଗି ସମାନ ଥିଲା, ତେଣୁ ଆଖପାଖ ସ୍ଥାନକୁ ଏହି ସଂକ୍ରମଣ ବ୍ୟାପିଛି ବୋଲି ସେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସେଠାରେ ପ୍ରଥମେ ଅବସ୍ଥା ଖରାପ ଥିଲା । ଏବେ ନିୟନ୍ତ୍ରଣରେ ରହିଛି । ରାୟଗଡ଼ା, କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ ସେ ସ୍ଥାନରେ ନିୟୋଜିତ ହୋଇ ସ୍ଥିତି ମନିଟରିଂ କରୁଛନ୍ତି ।
ଏହାଛଡ଼ା ସେଠାରେ ଜଳ ବିଶୋଧନ କାର୍ଯ୍ୟକ୍ରମ ଚାଲିଛି । ଲୋକଙ୍କୁ କିଭଳି ଭଲ ପାଣି ଯୋଗାଇ ଦିଆଯାଇପାରିବ ସେନେଇ ବ୍ୟବସ୍ଥା କରାଯାଉଛି । ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳକୁ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇଥିଲେ । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାୟଗଡ଼ା ଓ କୋରାପୁଟ ଯାଇଛନ୍ତି । ପ୍ରତିଦିନ ସେଠାରୁ ନମୁନା ପରୀକ୍ଷା କରାଯାଉଛି ।
ଆଦିବାସୀ ଅଞ୍ଚଳ ହୋଇଥିବାରୁ ଲୋକେ ପିଇବା ଲାଗି ଝରଣାରୁ ପାଣି ସଂଗ୍ରହ କରିଥାନ୍ତି । ଯେଉଁଠାରେ ସଂକ୍ରମଣ ଆଶଙ୍କା ରହିଛି । ସେଥିଲାଗି ଉକ୍ତ ଉତ୍ସରୁ ପାଣି ବ୍ୟବହାର ନକରିବାକୁ ଲୋକମାନଙ୍କୁ ସତର୍କ କରାଯାଉଛି । ଏଣୁ ଏହାକୁ ମହାମାରୀ କୁହାଯାଇପାରିବ ନାହିଁ ।
Comments are closed.