ଭୁବନେଶ୍ୱର : ଭିଜିଲାନ୍ସ ଜଳରେ ଧରାପଡିଥିବା ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ଜେରା କରିବ ଇଡି । ପୋତା ଧନର ରହସ୍ୟ ଖୋଳି ବାହାର କରାଯିବ । ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ସରକାରୀ ବାବୁ ମାନଙ୍କ ଉପରେ ରହିଛି ଆଇ.ଟି.ଇଡି ର ନଜର । କୋଟି କୋଟି ଟଙ୍କା ସମ୍ପତି ଠୁଳର ରହସ୍ୟ ଖୋଜି ବାହାର କରିବ । ୪ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସମସ୍ତ ଯନ୍ତ୍ରୀଙ୍କ ତଥ୍ୟ ଇଡିକୁ ଦେଲା ରାଜ୍ୟ ଭିଜିଲାନ୍ସ । ଖୁବ ଶୀଘ୍ର କୋଟିପତି ଯନ୍ତ୍ରୀଙ୍କୁ ସମନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦେଶକ ଯଶବନ୍ତ ଜେଠୱା ।
ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ୧୪ ଜଣ ଯନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସଂପର୍କରେ ତଥ୍ୟ ଇଡି ଓ ଆୟକର ବିଭାଗକୁ ସମସ୍ତ ତଥ୍ୟ ଦିଆଯାଇଛି । ଭିଜିଲାନ୍ସ ଧରୁଥିବା ଲୋକଙ୍କ ତଥ୍ୟ ବିଭିନ୍ନ ଏଜେନ୍ସିକୁ ଦିଆଯାଇଥାଏ। ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ବିଭିନ୍ନ ଏଜେନ୍ସି ସହ ଶେଆର କରୁ । ଆଇଟି, ଇଡି ଆଦି ଏଜେନ୍ସିକୁ ଆମେ ତଥ୍ୟ ଶେଆର କରିଥାଉ। ସେମାନେ ସେମାନଙ୍କ ଆବଶ୍ୟକ ଅନୁସାରେ ଖୋଳତାଡ଼ କରିଥାନ୍ତି ଏବଂ ଆବଶ୍ୟକ ମନେ ହେଲେ ସେମାନେ ତାଙ୍କ ଶୈଳୀରେ ତଦନ୍ତ କରିଥାନ୍ତି ବୋଲି ଯଶବନ୍ତ ଜେଠୱା କହିଛନ୍ତି ।
ସୂଚନାନୁସାରେ,ଜୁନ୍ ୧୨ରୁ ଅକ୍ଟୋବର ୨୬ ମଧ୍ୟରେ ୧୨୩ଜଣ ଦୁର୍ନୀତିଖୋର ସରକାରୀ ବାବୁଙ୍କ ଘରେ ପଶି ଚଢ଼ାଉ କରିଥିଲା ଭିଜିଲାନ୍ସ । ଏବେ ସେହି ଯନ୍ତ୍ରୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶି ଅଧିକ ଖୋଳତାଡ଼ କରିବ । ବାବୁ ମାନଙ୍କ ବିରୋଧରେ ୮୮ଟି ଅପରାଧିକ ମାମଲା ରୁଜୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୨୪ଜଣ କ୍ଲାସ ୱାନ ଅଫିସର, ୧୨ଜଣ କ୍ଲାସ ଟୁ ଅଫିସର, ୫୪ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି । ଏହାସହ ୭ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ରହିଥିବା ବେଳେ ଅନ୍ୟ ୨୬ଜଣଙ୍କ ବିରୋଧରେ ବି ମାମଲା ହୋଇଛି । ରୁଜୁ ହୋଇଥିବା ୨୬ଟି ମାମଲାରେ ମୋଟ୍ ୭୭ କୋଟି ୨୮ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।
Comments are closed.