ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ

0

ଭୁବନେଶ୍ବର: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ପାଇଲେ ଜଷ୍ଟିସ୍ ହରିଶ ଟଣ୍ଡନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି କରିଛନ୍ତି। କେନ୍ଦ୍ରସରକାରଙ୍କ ମଞ୍ଜୁରୀ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏନେଇ ଟ୍ବିଟ୍ କରି ଅବଗତ କରାଇଛନ୍ତି। ବର୍ତ୍ତମାନ କଲିକତା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଟଣ୍ଡନ୍ । ଗତ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟ କଲେଜିୟମ୍ କଲିକତା ହାଇକୋର୍ଟର ବିଚାରପତିଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ ।

୧୯୬୪ ମସିହା ନଭେମ୍ବର ୧୬ ରେ ଜଷ୍ଟିସ ଟଣ୍ଡନଙ୍କର ଜନ୍ମ । ୧୯୮୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୮୯ ରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ୧୩ ଏପ୍ରିଲ୍ ୨୦୧୦ରେ ବିଚାରପତି ହରିଶ ଟଣ୍ଡନଙ୍କୁ କଲିକତା ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ସେବେଠାରୁ ସେ ସେଠାରେ କାର୍ଯ୍ୟରତ ଅଛନ୍ତି । ଏଥିସହିତ ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ଜଷ୍ଟିସ୍ ଟଣ୍ଡନ୍ ।

ସୂଚନାନୁସାରେ,ଜାନୁଆରୀ ୧୯ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ଏହି ସୁପାରିଶ କରାଯାଇଥିଲା । ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ବଦଳି ପାଇଁ ଗତକାଲି ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଛନ୍ତି ।

 

Leave A Reply

Your email address will not be published.