କେନ୍ଦୁଝର: ଜୁନ ୧୦: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଚାଷୀଙ୍କୁ କାଳିଆ ଯୋଜନା କିସ୍ତି ଠିକ ଭାବରେ ଆସୁନଥିବାରୁ ଆକାଉଣ୍ଟକୁ ଆଧାର ଲିଙ୍କ କରାଯିବା କହି ହିତାଧିକାରୀଙ୍କ ପାଖରୁ ଦୁଇ ଯୁବକ ଟଙ୍କା ଲୁଟି ନେଇଛନ୍ତି । ଘଟଣାରେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି । ତେବେ ଗିରଫ ୨ ଜଣ ମୁରଲୀଧର ମହାପାତ୍ର ଓ ଅବନୀ କୁମାର ମହାପାତ୍ର ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଫାଣ୍ଡି ଅଧିନ ବଳଭଦ୍ରପୁର ଗାଁର ୪ ଜଣହିତାଧିକାରୀଙ୍କ ପାଖରୁ ପିଓଏସ ମେସିନରେ ଟିପ ଲଗାଇ ୩୮ ହଜାର ଠକି ନେଇଛନ୍ତି । ଘଟଣା ଜାଣିବା ପରେ ଉକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ସହ ଫାଣ୍ଡିରେ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ, ଆଜି ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ବଳଭଦ୍ରପୁର ଗାଁକୁ ପହଞ୍ଚି କିଛି ଗରିବ ଆଦିବାସୀଙ୍କୁ କାଳିଆ ଯୋଜନା ଓ ବଳିଆ ଯୋଜନା ଅର୍ଥ ଯିଏ ପାଉନାହିଁ ସେମାନଙ୍କ ଆଧାରକୁ ଲିଙ୍କ କଲେ ପାଇପାରିବେ ବୋଲି କହିଥିଲେ । ବହୁ ଲୋକ ଏହି ଦୁଇ ଯୋଜନାରୁ ବଂଚିତ ଥିବାରୁ ସେମାନଙ୍କ ପାଖରେ ଆଧାର ଲିଙ୍କ କରିବାକୁ ଆସିଥିଲେ ଓ ସେମାନଙ୍କ କହିବା ମୁତାବକ ପିଓଏସ ମେସିନରେ ଟିପ ଚିହ୍ନ ଦେଇଥିଲେ । ଏହି ସମୟରେ ଘଟଣାସ୍ଥଳରେ ବଳଭଦ୍ରପୁର ପଞ୍ଚାୟତ ସରପଞ୍ଚ ପହଞ୍ଚି ତନାଘନା କରିଥିଲେ । ଯେଉଁ ଲୋକମାନେ ଟିପ ଚିହ୍ନ ଦେଇଥିଲେ ସେମାନେ ବ୍ୟାଙ୍କକୁ ଯାଇ ପାସବୁକ ଅପଡେଟ କରିଥିଲେ । ସେତେବେଳେ କିଛିଲୋକଙ୍କ ପାସବୁକରୁ ୩୮ ହଜାର ଗାୟବ ହୋଇଥିବା ଜଣାପଡିଥିଲା । ପରେ ଦୁଇଜଣକୁ କାବୁ କରି କାଳିଆହତା ଫାଣ୍ଡିରେ ଜିମା ଦେଇଛନ୍ତି । ତେବେ ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ମୁରଲୀଧର ଘଟଗାଁ ଥାନା ପିପିଲିଆ ଗାଁର ହୋଇଥିବାବେଳେ, ଅବନୀ ହରିଚନ୍ଦନପୁର ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।
Comments are closed.