କଟକ : ମହାନଦୀରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର। ଭଦିମୂଳଘାଟ ନିକଟରେ ମୃତଦେହ ଉଦ୍ଧାର କଲେ ଲୋକେ। ଗତକାଲି ପାଣି ଉଠାଇବା ବେଳେ ଭଦିମୂଳ-ଗତିରାଉତପାଟଣା ମଧ୍ୟସ୍ଥଳର ୨ ଜଣ କାଉଡିଆ ଭାସି ଯାଇଥିଲେ । ତେବେ ଜଣେ କାଉଡିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ କାଉଡିଆ ନିଖୋଜ ଥିଲେ । ମୃତ କାଉଡ଼ିଆ ଜଣକ ହେଲେ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳର ରବୀନ୍ଦ୍ର ବେହେରାଙ୍କ ପୁଅ ବିଶ୍ବଜିତ୍ । ଜଳ ସଂଗ୍ରହ କରିବା ସମୟରେ ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସିଆରଆରଆଇ ଥାନା ପୁଲିସ ଓ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନଦୀରେ ତଲାସି ଜାରି ରହିଥିଲା। ହେଲେ ଅନ୍ଧକାର ସହିତ ପାଣିସୁଅ ଅଧିକ ଥିବାରୁ ନିଖୋଜ ବିଶ୍ୱଜିତ୍ଙ୍କୁ ଠାବ କରିବା ସମ୍ଭବ ହୋଇପାରିନଥିଲା। ଆଜି ସକାଳୁ ପୁର୍ନବାର ନଦୀରେ ସନ୍ଧାନ କରାଯାଇଥିଲା। ଦୀର୍ଘ ସମୟ ପରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ,ଆଜି ଶ୍ରାବଣମାସ ତୃତୀୟ ସୋମବାର ଥିବାରୁ ଗତକାଲି ବିଶ୍ବଜିତ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ମହାନଦୀର ଭଦିମୂଳ ଘାଟକୁ ପାଣି ଉଠାଇବା ପାଇଁ ଆସିଥିଲେ । ଜଳସଂଗ୍ରହ କରି ତିନି ଜଣ ସନ୍ଧ୍ୟାରେ ଜଗତସିଂହପୁର ଜିଲା ବିରିଡ଼ି ବ୍ଲକ ଅନ୍ତର୍ଗତ ଅଷ୍ଟଶମ୍ଭୁ ମନ୍ଦିରକୁ ଯାଇଥାନ୍ତେ । ଗାଧୋଇବାବେଳେ ବିଶ୍ୱଜିତଙ୍କ ସହ ଅନ୍ୟ ଜଣେ ଭାସି ଯାଇଥିଲେ । ତେବେ ପାଖରେ ଥିବା ଲୋକେ ଜଣକୁ ତୁରନ୍ତ ଉଦ୍ଧାର କରିଥିବାବେଳେ ବିଶ୍ବଜିତଙ୍କର ପତ୍ତା ମିଳି ନଥିଲା । ସୂଚନା ପାଇବା ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ବୋଟ୍ ଜରିଆରେ ନଦୀରେ ରାତି ୧୦ଟା ପର୍ଯ୍ୟନ୍ତ ତଲାସି କରାଯାଇଥିଲେ ମଧ୍ୟ ବିଶ୍ୱଜିତ୍ଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଆଜି ସକାଳୁ ବିଶ୍ଵଜିତଙ୍କର ମୃତଦେହ ଉଦ୍ଧାର ହୋଇଛି।