ଜୈନଙ୍କ ଗିରଫ ପରେ ମୁହଁ ଖୋଲିଲେ କେଜରିୱାଲ

ନୂଆଦିଲ୍ଲୀ: ମଇ ୩୧: ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ମାମଲକୁ ନକଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଏହା ସଂପୂର୍ଣ୍ଣ ନକଲି ଓ ରାଜନୈତିକ ଷଡଯନ୍ତ୍ର । ଯଦି ଏ ଘଟଣାରେ ଟିକେ ବି ସତ୍ୟତା ଥାଆନ୍ତା ତେବେ ମୁଁ ନିଜେ ହିଁ ସତ୍ୟେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ବ୍ୟକ୍ତିଗତ ଭାବେ ମାମଲାର ତଦନ୍ତ କରି ଜାଣିବାକୁ ପାଇଲି ଯେ ଏଥିରେ ଟିକେ ବି ସତ୍ୟତା ନାହିଁ । ପାଖାପାଖି ୧.୬୦ କୋଟି ଟଙ୍କା ହେରଫେର ମାମଲା ନେଇ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ୍‌ ଜେନଙ୍କ ବିରୋଧରେ ୨୦୧୭ରେ ଏକ ମାମଲା ରୁଜୁ କରିଥିଲା । ପରେ ସିବିଆଇର ଏଫ୍‌ଆଇଆରକୁ ଭିତ୍ତି କରି ଇଡି ତଦନ୍ତ ଆରମ୍ଭ କରିଥିଲା । ସତ୍ୟେନ୍ଦ୍ର ଜେନ୍‌ ଆପର ଇନ୍‌-ଚାର୍ଜ ଥିବା ହେତୁ ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଗିରଫ କରାଯାଇଛି ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ଟ୍ୱିଟ୍‌ ଯୋଗେ କହିଛନ୍ତି । ସେ ତାଙ୍କ ଟ୍ୱିଟ୍‌ ଜରିଆରେ ଆହୁରି ବି କହିଛନ୍ତି ଯେ ଗତ ୮ ବର୍ଷ ହେବ ସତ୍ୟେନ୍ଦ୍ର ଜେନଙ୍କ ନାମରେ ଏକ ନକଲି ମାମଲା ରହିଛି । ସେ ନେଇ ପୂର୍ବରୁ ଇଡି ବହୁତ ଥର ପଚରାଉଚରା କରିଛି । କିଛି ସୂଚନା ନପାଇବାରୁ ଇଡି ଅନେକ ଦିନ ହେବ ଚୁପ୍‌ ରହିଥିଲା । ଏବେ ପୁଣି ଥରେ ଏହି ମାମଲା ମୁଣ୍ଡ ଟେକିବାର କାରଣ ହେଉଛି, ସତ୍ୟେନ୍ଦ୍ର ଜେନ୍‌ ହେଉଛନ୍ତି ହିମାଚଳ ପ୍ରଦେଶର ଇଲେକ୍ସନ-ଇନ୍‌-ଚାର୍ଜ । ହିମାଚଳ ପ୍ରଦେଶରେ ବିଜେପିର ପ୍ରଦର୍ଶନ ଖରାପ ରହିଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଜେନଙ୍କୁ ଗିରଫ କରାଯାଇଛି ।

Comments are closed.