ଆମେରିକାକୁ ପରମାଣୁର ଧମକ ଦେଲା ଉତ୍ତର କୋରିଆ

ପୋଙ୍ଗୟାଙ୍ଗ୍‌ : ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛନ୍ତି ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନ । ସେ କହିଛନ୍ତି ଯେ ଆମେରିକା ସହ ହେବାକୁ ଥିବା ଯେକୌଣସି ପ୍ରକାରର ସାମରିକ ସଂଘର୍ଷରେ ଉତ୍ତର କୋରିଆ ନିଜର ଆଣବିକ ଅସ୍ତ୍ରର ପ୍ରୟୋଗ କରିବ ।

ଜୁଲାଇ ୨୭ରେ ଉତ୍ତର କୋରିଆର ରାଜଧାନୀ ପେଙ୍ଗୟୋଙ୍ଗରେ ଅନୁଷ୍ଠିତ ଏକ ସାମରିକ କାର୍ଯ୍ୟକ୍ରମରେ ଯୋଗ ଦେଇ କିମ କହିଛନ୍ତି ଯେ ଆମେରିକା ସହ ବିବାଦ ଯୋଗୁଁ ତାଙ୍କ ଦେଶ ନିଜର ସୁରକ୍ଷା ପାଇଁ ଆଣବିକ ଅସ୍ତ୍ର ତିଆରି କରିଥିଲା । ୨୦୧୭ରେ ଆଣବିକ ଅସ୍ତ୍ର ପରୀକ୍ଷା କରିଥିବା ଉତ୍ତର କୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏପରିକି ଆମେରିକୀୟ ଓ ଦକ୍ଷିଣ କୋରିଆର ଗୁଇନ୍ଦା ଅଧିକାରୀମାନେ କହିସାରିଛନ୍ତି ଯେ ଆଣବିକ ପରୀକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି ।

ଏ ପରିପ୍ରେକ୍ଷୀରେ କିମଙ୍କ ବୟାନକୁ ଗୁରୁତ୍ୱ ଦିଆଯାଉଛି । କୋରିଆ ଯୁଦ୍ଧ ବିରାମ ଘୋଷଣାର ୬୯ତମ ବାର୍ଷିକୀ ଅବସରରେ ଉତ୍ତରକୋରିଆ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ କିମ୍‌ ଏହି ବୟାନ ଦେଇଥିବା ସେଠାକାର ସରକାରୀ ଗଣମାଧ୍ୟମ କେସିଏନଏ ଘୋଷଣା କରିଛି । ନିଜ ଭାଷଣରେ କିମ କହିଛନ୍ତି ଯେ ଯୁଦ୍ଧ ବିରାମକୁ ପ୍ରାୟ ୭୦ ବର୍ଷ ହୋଇଯାଇଥିଲେ ବି ଆମେରିକା ଓ ଦକ୍ଷିଣ କୋରିଆ ତାଙ୍କ ଦେଶ ବିରୋଧରେ ଶତ୍ରୁତାପୂର୍ଣ୍ଣ ଆଚରଣ ଜାରି ରଖିଛନ୍ତି ।

Comments are closed.