କୃଷିଭିତ୍ତିକ ପରବ ଅକ୍ଷୟ ତୃତୀୟା

ଆମ ଓଡ଼ିଶାରେ ଅକ୍ଷୟତୃତୀୟା
କୃଷିଭିତ୍ତିକ ପରବ
ଭୂମିକୁ ଜନନୀ ମଣି ପୁଜାକରୁ
ଏଇତ ଆମର ଗରବ I
ବୈଶାଖର ଶୁକ୍ଳ ତୃତୀୟା ତିଥିରେ
ଅକ୍ଷୟ ତୃତୀୟା ଆସେ
ପିଠୋଉ ଚିତାରେ ହୁଳହୁଳି ଶବ୍ଦେ
ଘରଟି ଆମର ହସେ I
ନୂତନ ବର୍ଷର କୃଷି କର୍ମରସେ
ପ୍ରଥମ ଶୁଭ ଦିନରେ
ଚାଷୀ ନବବସ୍ତ୍ର ପରିଧାନ କରେ
ସ୍ନାନ ସାରି ପ୍ରଭାତରେ I
ଚିତା ଟୋକେଇରେ ଲଙ୍ଗଳ ଲୁହା ଓ
ନୈବେଦ୍ୟ ସଜାଡି ନିଏ
ଐଶନ୍ୟ କୋଣରେ ଭୂମି ପୂଜିବାକୁ
ମଙ୍ଗଳ ଧ୍ୱନିରେ ଯାଏ I
ଏହି ତିଥିଟିରେ ଅକ୍ଷି ମୁଠି ନେଇ
ଅନୁକୂଳ ଧାନବୁଣା
ମାଆ ଲକ୍ଷ୍ମୀଙ୍କୁ ସେ ଫସଲ ପାଇଁକି
କରିଥାଏ ସୁମରଣା I
ମାତା ପାରବତୀ ଦେବୀ ଅରୁନ୍ଧତୀ
ପାଳିଲେ ଅକ୍ଷୟ ବ୍ରତ
ଦେବୀ ଯେ ଇନ୍ଦ୍ରାଣୀ ଜୟନ୍ତ ନାମକ
ପୁତ୍ର ହୋଇଥିଲେ ପ୍ରାପ୍ତ I
ଗୃହର୍ନିମାଣ ଓ ଗୃହ ପ୍ରବେଶ
ମନ୍ଦିର କରିଲେ ର୍ନିମାଣ
କୂପ ପୁଷ୍କରିଣୀ ଖନନ କରିଲେ
ଶୁଭ ହୋଇଥାଏ ଜାଣ I
ଭାଗବତ ପାଠ ଗୀତାଜ୍ଞାନ ଯଜ୍ଞ
କରି ଦେଉଥିବ ଦାନ
ବିବାହ ବ୍ରତାଦି ପାଇଁ ଏ ଦିନଟି
ଅଟେ ସର୍ବୋତ୍କୃଷ୍ଟ ଦିନ I
ଏ ଶୁଭ ତିଥିରେ ତିନିରଥ ଗଢା
ଅନୁକୂଳ ହୋଇଥାଏ
ପଞ୍ଚଲିଙ୍ଗେଶ୍‌ର ଶ୍ରୀ ଜଗନ୍ନାଥଙ୍କ
ଚନ୍ଦନ ଯାତ୍ରାଟି ହୁଏ I
କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ ମିଳନ
ଦ୍ୱାରକାରେ ହୋଇଥିଲା
ଖୁଦଭଜା ଖାଇ ଅଖଣ୍ଡ ଐଶୂର୍ଯ୍ୟ
ସୁଦାମାଙ୍କୁ ମିଳିଗଲା I
ବହୁ ସାଧୁସନ୍ଥ ଏ ପୁଣ୍ୟ ତିଥିରେ
ଅକ୍ଷୟ କରିଲେ ଲାଭ
ଧରିତ୍ରୀ ମାତାର ପୂଜା ଓ ବନ୍ଦନା
କଲେ ହୋଇଥାଏ ଶୁଭ I

Comments are closed.