କେଜରିୱାଲଙ୍କ ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି । ଅରବିନ୍ଦ କେଜରିୱାଲ ସରକାର ଲାଗୁ କରିଥିବା ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ଉପ ରାଜ୍ୟପାଳ ସକ୍ସେନା ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି । ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଚଳିତ ମାସରେ ଦେଇଥିବା ରିପୋର୍ଟ ଆଧାରରେ ଉପ ରାଜ୍ୟପାଳ ଏପରି ତଦନ୍ତ ସୁପାରିସ କରିଛନ୍ତି ।

ସକ୍ସେନାଙ୍କ ଅଫିସର ଆସିଥିବା ପ୍ରେସ ରିଲିଜ ଅନୁଯାୟୀ, ଜୁଲାଇ ୮ରେ ମୁଖ୍ୟ ଶାସନ ସଚିବଙ୍କ ପାଖରୁ ଆସିଥିବା ରିପୋର୍ଟରେ କୁହାଯାଇଛି ଯେ ପ୍ରଚଳିତ ଆଇନରେ ଅନେକ ପ୍ରକାରର ନିୟମକୁ ଉଲ୍ଲଙ୍ଘନ କରାଯାଇଛ । ମଦ ପାଇଁ ଲାଇସେନ୍ସ ଦେବାକୁ ଜାଣିଶୁଣି ଅନେକ ନିୟମରେ ହେରଫେର କରାଯାଇଛି । ସିଧାସଳଖ ଦିଲ୍ଲୀର ଉପ ରାଜ୍ୟପାଳ ମନୀଷ ସିସୋଦିଆଙ୍କ ନାଁ ନେଇ ଉପ ରାଜ୍ୟପାଳ ସକ୍ସେନା କହିଛନ୍ତି, ରିପୋର୍ଟରୁ ଜଣାପଡ଼ୁଛି ଯେ ଉଚ୍ଚ ରାଜନୀତିକ ସ୍ତରରେ ବିପୁଳ ପରିମାଣ ଆର୍ଥିକ କାରବାର ହୋଇଛି । ଘରୋଇ ମଦ ମାଲିକଙ୍କୁ ଫାଇଦା ଦେବାର ଲକ୍ଷ୍ୟ ରଖି ନୂଆ ଅବକାରୀ ନୀତି ୨୦୨୧-୨୨ ଲାଗୁ କରାଯାଇଛି । ଏହି ଆର୍ଥିକ ଲାଭ ଉଠାଉଥିବା ଲୋକମାନଙ୍କ ଚେର ମନୀଷ ସିସୋଦିଆଙ୍କ ଯାଏ ଲମ୍ବିଛି ।

ଅବକାରୀ ବିଭାଗର ଦାୟିତ୍ୱରେ ଥିବା ମନୀଷ ସିସୋଦିଆ ହିଁ ସବୁ ପ୍ରକାରର ନିଷ୍ପତ୍ତି ନେବା ସହ ନିୟମ ଉଲ୍ଲଙ୍ଘନ କରି ଅବକାରୀ ନୀତି ଲାଗୁ କରିଛନ୍ତି । ଏଥିପାଇଁ ବିପୁଳ ପରିମାଣର ଆର୍ଥିକ ହେରଫେର ହୋଇଥିବା ଉପ ରାଜ୍ୟପାଳ ଅଭିଯୋଗ କରିଛନ୍ତି । ଟେଣ୍ଡର ପରେ ବି ଆର୍ଥିକ ଫାଇନା ପାଇଁ ମଦ ଲାଇସେନ୍ସ ଦିଆଯାଇଛି । ଏହାଦ୍ୱାରା ବ୍ୟାପକ ଆର୍ଥିକ କ୍ଷତି ହୋଇଛି । ମନୀଷ ସିସୋଦିଆଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କୁହାଯାଇଛି ଯେ ଅବକାରୀ ନୀତି ଜରିଆରେ କରୋନା ମହାମାରୀ ଆଳରେ ଲାଇସେନ୍ସ ବାବଦ ଟଙ୍କା ଛାଡ଼ କରାଯାଇଛି । ମଦ ବ୍ୟବସାୟ କରୁଥିବା ଲୋକମାନଙ୍କୁ ୧୪୪.୩୬ କୋଟି ଟଙ୍କା ଛାଡ଼ କରାଯାଇଛି ।

ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ଉପ ରାଜ୍ୟପାଳ ସୁପାରିସ କରିଛନ୍ତି । ଅନ୍ୟପକ୍ଷରେ ଉପ ରାଜ୍ୟପାଳ ସକ୍ସେନା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଛି । ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ଆପର ନିର୍ବାଚନୀ ଲୋକପ୍ରିୟତାରେ ଈର୍ଷା କରିବା ଆରମ୍ଭ କରିଛନ୍ତି । ଏହାକୁ ରୋକିବା ପାଇଁ ସେମାନେ ସବୁ କିଛି କରିବାକୁ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି । ଆମେ ଜାଣିଛୁ ଯେ ପଞ୍ଜାବରେ ଆପର ବିଜୟ ପରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି ନର୍ଭସ ହୋଇଯାଇଛନ୍ତି । ୨୦୧୬ରେ କେନ୍ଦ୍ର ସରକାର ଅରବିନ୍ଦ କେଜରିୱାଲଙ୍କୁ ରୋକିବାକୁ ଚେଷ୍ଟା କରିଥିଲା । ଏବେ ସେମାନେ ପୁଣି ସମାନ କାମ ଆରମ୍ଭ କରିଛନ୍ତି ।

Comments are closed.