ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟାରେ ପଡ଼ିଥାଏ ଅକ୍ଷୟ ତୃତୀୟା । ଏହି ପବିତ୍ର ତିଥିରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟର ଅନୁକୂଳ ହୋଇଥାଏ ।
ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଦେବାଳୟ ନିର୍ମାଣ, କୂପ, ପୁଷ୍କରିଣୀ ଆଦି ଖନନ ସହ ସମସ୍ତ ପ୍ରକାର ଦେବତା ଗଠନ, ଯାନ କ୍ରୟ, ଦୀକ୍ଷା ଗ୍ରହଣ, ହଳ, ବ୍ୟବସାୟ ପ୍ରଭୃତି ଶୁଭକାର୍ଯ୍ୟ ଏହି ତିଥିରେ ହିଁ ଆରମ୍ଭ କରାଯାଇଥାଏ । ଔପଚାରିକ ଭାବେ ଏହି ଦିନକୁ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ‘ଶୁଦ୍ଧି ଓ ସିଦ୍ଧିର ଦିବସ’ ଭାବେ ପାଳନ କରିଥାନ୍ତି ।
ତେଣୁ ଅକ୍ଷୟ ତୃତୀୟାକୁ ଅନୁକୂଳର ପର୍ବବୋଲି ସମ୍ବୋଧନ କରାଯାଇଥାଏ । ଏହି ଦିନରେ କୃଷକ ଧାନ ବୁଣିବା ସହ ମୂଠି ଅନୁକୂଳ କରିଥାଏ । ବ୍ରାହ୍ମମୂହୁର୍ତ୍ତରୁ ଧାନକୋଠି ପୂଜା ସହ ଝୋଟି ପଡ଼ିଥିବା ଗଉଣୀରେ ବିହନ ଧାନ କୋଠିରୁ ବାହାର କରାଯାଇଥାଏ । ସେହି ଧାନ ବିଲକୁ ନେବା ସହ ସେଠାରେ ଧୂପ, ଦୀପ, ଦୁଧ ଚାଉଳ ଦେଇ ବିଲକୁ ପୂଜା କରିସାରିବା ପରେ ଧାନ ବୁଣା ଅନୁକୂଳ କରାଯାଇଥାଏ ।
ସେହିଭଳି ଶ୍ରୀଜଗନ୍ନାଥଙ୍କର ଏହି ପର୍ବରେ ରହିଥାଏ ସ୍ୱତନ୍ତ୍ରତା । ଠାକୁରଙ୍କର ଘୋଷଯାତ୍ରାର ରଥ ନିର୍ମାଣ କାର୍ଯ୍ୟ ଏହିଦିନ ଅନୁକୂଳ ହୋଇଥାଏ ।
ଏହିଦିନ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥ ପାଇଁ ଆସିଥିବା କାଠ ବୈଦିକ ରୀତିରେ ପୂଜା ହୋଇ ରଥ ନିର୍ମାଣ ନିମିତ୍ତ ବିଶ୍ୱକର୍ମାଙ୍କୁ ବରଣ କରାଯାଇଥାଏ । ସେହିଭଳି ଏହି ତିିଥିରେ ଠାକୁରଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୁଏ । ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ପାଲିଙ୍କିରେ ବସାଇ ନରେନ୍ଦ୍ର ପୋଖରୀରେ ସୁସଜ୍ଜିତ ନୌକାରେ ଚାପ କରାଯାଇ ଚନ୍ଦନଯାତ୍ରା ଆରମ୍ଭ ହୁଏ ।
ଚନ୍ଦନ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଇଥାଏ । କେବଳ ପୁରୀ ନୁହେଁ ଚନ୍ଦନ ଯାତ୍ରା ଓଡ଼ିଶାର ଅନେକ ମନ୍ଦିରରେ ପାଳନ କରାଯାଇଥାଏ । ଏହି ଦିନ ଓଡ଼ିଶାର ଗାଁଗାଁରେ ଯଜ୍ଞର ଆୟୋଜନ କରାଯାଇଥାଏ । ସେହିଭଳି ଘରେ ଘରେ ମଧ୍ୟ ଅକ୍ଷୟତୃତୀୟାର ପୂଜା କରାଯାଇଥାଏ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)