ଓଡିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ହେଉଛି ମାଣବସା ଗୁରୁବାର ଓଷା । ଏହି ପର୍ବରେ ଧନଧାନ୍ୟ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଓଡିଆ ଘରର ନାରୀ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଓଷା କରିଥାନ୍ତି । ଏହି ପର୍ବକୁ ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ ।
ନାମକରଣର ମହତ୍ତ୍ୱ:
ଏହି ଓଷାରେ ଚାଉଳ ଆଦି ଶସ୍ୟ ମାପିବା ପାଇଁ ବ୍ୟବହାର ହେଉଥିବା ମାଣରେ ନୂଆ ଧାନ ଭରି ମାଣ ବସାଇ ତାହାକୁ ନୂଆ ବସ୍ତ୍ରରେ ବୋହୂ ପରି ସଜାଇ ମା ଲକ୍ଷ୍ମୀ ଭାବରେ ପୂଜା କରାଯାଏ । ପୂଜାରେ ମାଣର ଗୁରୁତ୍ୱ ସବୁଠୁ ଅଧିକ ରହିଥିବାରୁ ଏହାକୁ ମାଣବସା ଗୁରୁବାର କୁହାଯାଏ । ଏହି ଓଷାର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରୁାଣରେ ବର୍ଣ୍ଣିତ । ପୁରାଣର ବର୍ଣ୍ଣନା ଅନୁଯାୟୀ ମା ଲକ୍ଷ୍ମୀ ଗୁରୁବାର ଦିନ ବଡ ଦେଉଳରୁ ନଗ୍ର ବୁଲି ବାହାରିଥିଲେ । ମା ଦେଖିଲେ ଅନେକ ଧନୀ ଓ ସମ୍ଭ୍ରାନ୍ତ ଲୋକ ସେଦିନ ଗୁରୁବାର ବୋଲି ଭୁଲିଯାଇ ମଦ ମାଂସ ଓ ଆଳସ୍ୟରେ ବୁଡି ରହିଛନ୍ତି । କିନ୍ତୁ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରଦ୍ୱାର ଲିପାପୋଛା କରି ଝୋଟି ପକାଇ ଶୁଦ୍ଧ ପୂତ ଭାବରେ ତାଙ୍କର ପୂଜାର୍ଚ୍ଚନା କରୁଛି । ମା ତାର ଭକ୍ତିରେ ମୁU ହୋଇ ତା ଘରକୁ ନ ଯାଇ ରହିପାରିଲେ ନାହିଁ । ଏହାପରେ ଯେତେବେଳେ ସେ ଦେଉଳକୁ ଫେରିଛନ୍ତି ସେତେବେଳେ ବଳରାମଙ୍କ ଆଦେଶରେ ଜଗନ୍ନାଥ ମାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରାଇ ଦେଲେ ନାହିଁ । ମାଙ୍କ ଜାତି ଚାଲିଯାଇଛି କହି ଦୁଇ ଭାଇ ତାଙ୍କୁ ମନ୍ଦିରରୁ ତଡି ଦେଇଥିଲେ । ଏହାପରେ ମା ତାଳ ବେତାଳଙ୍କ ସହାୟତାରେ ସମୁଦ୍ର କୂଳରେ ନଅର ତୋଳାଇ ରହିଲେ ଓ ବଡ ଦେଉଳରୁ ସବୁ ଜିନିଷ ନେଇଗଲେ । ଶେଷରେ ଖାଇବାକୁ ନ ପାଇ ଦୁଇ ଭାଇ ଭିକ୍ଷା କରିବାକୁ ବାହାରି ଦିନେ ମାଙ୍କ ନଅରରେ ପହଞ୍ଚିଲେ । ଜଗତର ପ୍ରଭୁ ମାଙ୍କ ଦୁଆରରେ ପହଞ୍ଚିବା ପରେ ମା ମନ ଖୁସିରେ ଦୁଇଭାଇଙ୍କ ଅତିଥି ସତ୍କାର କଲେ । ଦୁଇ ଭାଇ ଖାଇବା ସମୟରେ ଲକ୍ଷ୍ମୀଙ୍କ ହାତ ରନ୍ଧାର ସ୍ୱାଦ ବାରିପାରି ସବୁକିଛି ଜାଣିପାରିଲେ ଓ ଲକ୍ଷ୍ମୀଙ୍କ ଆଗରେ ନିଜକୁ ଲଜ୍ଜିତ ମନେ କଲେ । ଶେଷରେ ତାଙ୍କ ପୂଜାରେ ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ବଡ ଠାକୁରଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ମା ମନ୍ଦିରକୁ ଫେରିଥିଲେ ।
ପୂଜା ବିଧି:
ମାର୍ଗଶୀର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତାର ଖଳାକୁ ଆଣେ ଧାନ ହଳା । ଘରକୁ ଧାନ ଆସିବା ପୂର୍ବରୁ ଧାନହଳାରୁ ଧଳାଧାନର ଶିଶା ବାହାର କରି ଚାଷୀ ସେଥିରେ ବେଣୀ ବା ମେଣ୍ଟି କରି ଅତି ଯନିରେ ଶୁଖାଇ ରଖିଥାଏ । ପୂର୍ବ ଦିନରୁ ଘରଦ୍ୱାର ଲିପାପୋଛା କରି ଝୋଟି ପକାଇ ଗୁରୁବାର ଦିନ ବଡି ଭୋରୁ ଶୌଚ ସ୍ନାନାଦି କର୍ମ ସମାପନ କରି ଘରର ବିବାହିତା ନାରୀ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପୂଜା ଘରେ ମାଣ ଖଟୁଲି ଉପରେ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଏଥିରେ କଉଡିକୁ ଆଖି ଭାବରେ ବ୍ୟବହାର କରି ମାଣକୁ ଏକ ମୁହଁର ରୂପ ଦିଆଯାଏ । ନାଲି ଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବବଧୂର ରୂପ ଦିଆଯାଏ । ମାଙ୍କ ଖଟୁଲି ସ୍ଥାପନ କରିବା ପୂର୍ବରୁ ପ୍ରଥମେ ସେଠାରେ କୋଠି କରାଯାଇ ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କନ କରାଯାଏ । ଚାରିପଟେ ପଦ୍ମଫୁଲ ଝୋଟି ଅଙ୍କନ କରାଯାଏ ।
ଘର ସାରା ମଧ୍ୟ ମାଙ୍କ ପଦ୍ମପାଦ ଝୋଟି ଅଙ୍କା ଯାଇ ଆସ୍ଥାନ ପର୍ଯ୍ୟନ୍ତ ଅଣାଯାଏ । ଅମଳ ହୋଇଥିବା ଶୁକ୍ଳ ଧାନରୁ ଚାଉଳ ପ୍ରସ୍ତୁତ କରି ସେଥିରେ ପିଠା ପଣା ତିଆରି କରି ଗୁଆ, କଉଡି, ବରକୋଳି ପତ୍ର, ଦୂବ, ସିନ୍ଦୂର, ଧୂପଦୀପରେ ମାଙ୍କ ପୂଜା ଅର୍ଚ୍ଚନା କରାଯାଏ । ବିଧି ଅନୁଯାୟୀ ପୂଜା ପୂର୍ବରୁ ଖଟୁଲି ନିକଟରେ ମାଙ୍କ କାଠ ନିର୍ମିତ ପାନିଆ, ଆଇନା, କଜ୍ଜଳ ପାତି, ଆଖୁ, ମୂଳା ଆଦି ରଖାଯାଏ । ମା ଲକ୍ଷ୍ମୀଙ୍କୁ ଦିନରେ ତିନି ଥର ଭୋଗ ଲଗାଯାଏ । ବାଳ ଧୂପରେ ଛେନା, ଗୁଡ, ନଡିଆ କଦଳୀ, ମଧ୍ୟାହ୍ନ ଧୂପରେ ଖିରି ବା ତରଣ, ଚକୁଳି ପିଠା, ତରକାରୀ ଭୋଗ ଲଗାଯାଏ । ଏହି ସମୟରେ ମାଙ୍କ ପାଖରେ ଲକ୍ଷ୍ମୀ ପୁରାଣ ପଢାଯାଏ । ସନ୍ଧ୍ୟା ଧୂପରେ ବାଳ ଧୂପ ପରି ପୂଜା କରାଯାଏ । କେହି କେହି ମାର୍ଗଶୀର ମାସ ସବୁ ଗୁରୁବାର ମାଣ ବସାଇ ମାଙ୍କୁ ଆରାଧନା କରୁଥିବା ବେଳେ ଆଉ କେହି କେବଳ ଶେଷ ଗୁରୁବାର ମାଣ ବସାଇଥାନ୍ତି ଆଉ ଅନ୍ୟ ସମସ୍ତ ଗୁରୁବାର ଅରୁଆ ଅନ୍ନ ଖାଇ କେବଳ ବ୍ରତ ରଖିଥାନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)