କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେଙ୍କ ଦେହାନ୍ତ

ବ୍ରାଜିଲ : ଫୁଟବଲ ର କିମ୍ବଦନ୍ତୀ ପୁରୁଷ ତଥା ମହାନ ବ୍ରାଜିଲର ଷ୍ଟାର ଖେଳାଳି ଏଡସନ୍ ଆରେଣ୍ଟସ୍ ଡୋ ନାସିମେଣ୍ଟୋ ‘ପେଲେ’ଙ୍କ ଦେହାନ୍ତ I ୮୨ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ପେଲେଙ୍କର ପରଲୋକ ହୋଇଯାଇଛି । ଗତ ଦୁଇ ବର୍ଷ ଧରି ପେଲେଙ୍କୁ କୋଲନ୍‌ କ୍ୟାନସର ହୋଇଥିଲା । ତାଙ୍କୁ ଗତ ନଭେମ୍ବର ୨୯ ତାରିଖରେ ସାଓ ପାଓଲସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଦିନଠୁ ସେ ହସ୍ପିଟାଲ ରେ ଚିକିତ୍ସାଧୀନ ରହିଥିଲେ I ତାଙ୍କ ଶରୀର ଗତକାଲି ଆଉ କେମୋଥେରାପି ଗ୍ରହଣ ନକରିବାରୁ ବ୍ରାଜିଲ ସମୟ ରାତି ୩.୨୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I ପେଲେଙ୍କର ଝିଅ କେଲି ନୈସିମଂଟୋ ତାଙ୍କର ମୃତ୍ୟୁ ବିଷୟରେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

ପେଲେ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡା ଜୀବନ ଆରମ୍ଭ କରିଥିଲେ । ୯୨ ମ୍ୟାଚରେ ୭୭ ଗୋଲ ଦେଇ ସର୍ବକାଳୀନ ଗୋଲ ସ୍କୋରର ହେବାର ଗୌରବ ଅର୍ଜନ କରିଥିଲେ । ବ୍ଲାକ ପର୍ଲ ଓ ବ୍ଲାକ ଡାଇମଣ୍ଡ ନାମରେ ପରିଚିତ ପେଲେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ତିନ ଥର ଫିଫା ବିଶ୍ୱକପ ଜିତିବାର ଗୌରବ ହାସଲ କରିଛନ୍ତି । ୩ ଫିଫା ବିଶ୍ବକପ୍‌ (୧୯୫୮, ୧୯୬୨ ଓ ୧୯୭୦) ବିଜୟୀ ଦଳର ସଦସ୍ୟ ରହିବା‌ରେ ସେ ଥିଲେ ଏକମାତ୍ର ଖେଳାଳି। ଏହି ବ୍ରାଜିଲ୍‌ ତାରକା ୧୮ ବର୍ଷ ବୟସରେ ପ୍ରଥମଥର ବିଶ୍ବକପ୍‌ ଜିତିଥିଲେ। ୧୯୫୮ରେ ହୋଇଥିବା ଏହି ବିଶ୍ବକପ୍‌‌ର ସ୍ବିଡେନ୍‌ ବିପକ୍ଷ ଫାଇନାଲ୍‌ରେ ଦୁଇଟି ଗୋଲ୍‌ ଦେବା ସହ ମୋଟ ୬ ଗୋଲ୍‌ ସ୍କୋର କରିଥିଲେ। ୧୯୬୨ ବିଶ୍ବକପ୍‌ରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ଗତ ବିଶ୍ୱକପ ମ୍ୟାଚ ବେଳେ ସେ ହସପିଟାଲ ବେଡରେ ଥାଇ ବ୍ରାଜିଲ ଟିମକୁ ଉତ୍ସାହିତ କରିଥିଲେ ।

ପେଲେ ୨୩ ଅକ୍ଟୋବର ୧୯୪୦ ରେ ବ୍ରାଜିଲର ମିନାସ୍ ଜେରାଇସରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଡୋଣ୍ଡିନହୋ ଏବଂ ମାତାଙ୍କ ନାମ ଥିଲା ସେଲଷ୍ଟେ ଆରାଣ୍ଟସ୍ I ପିତା ଡୋଣ୍ଡିନହୋ ବ୍ରାଜିଲର ବଡ ଫୁଟବଲ କ୍ଲବ ଫ୍ଲୁମିନେନ୍ସ ପାଇଁ ଖେଳିଥିଲେ, କିନ୍ତୁ ଅର୍ଥ ଅଭାବରୁ ତାଙ୍କୁ ଝାଡୁଦାର ହେବାକୁ ପଡିଥିଲା I

କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ପ୍ରଥମ ନାଁ ଏଡିସନ ଥିଲା I ତାଙ୍କ ଡାକନାମ ଥିଲା ଡିକୋ ଥିଲା I ପଢିବା ସମୟରୁ ସେ ଫୁଟବଲ ଖେଳିବାକୁ ଭଲ ପାଉଥିଲେ, ମାତ୍ର ଅର୍ଥାଭାବ ଯୋଗୁଁ ସେ ଫୁଟବଲ କିଣି ନ ପାରି ପ୍ରଥମେ ଖବର କାଗଜରେ ଦଉଡି ବାନ୍ଧି ପେଣ୍ଡୁ ତିଆରି କରି ବ୍ରାଜିଲର ସାଓ ପାଉଲୋ ରାସ୍ତାରେ ଖେଳିବା ଆରମ୍ଭ କରିଥିଲେ I

ସେ ତାଙ୍କ ଅଞ୍ଚଳରେ ସ୍ଥାନୀୟ କ୍ଲବ ଭାସ୍କୋ ଡା ଗାମାର ଗୋଲକିପର ବିଲେଙ୍କୁ ବହୁତ ଭଲ ପାଉଥିଲେ। ଯେତେବେଳେ ସେ ସ୍କୁଲରେ ଫୁଟବଲ ଖେଳୁଥିଲେ, ତାଙ୍କ ସାଙ୍ଗମାନେ ତାଙ୍କୁ ପେଲେ ବୋଲି କହିବା ଆରମ୍ଭ କଲେ I ସେବେଠାରୁ ତାଙ୍କର ନାମ ହେଲା ପେଲେ ।

Comments are closed.