କଟକ: ଏପ୍ରିଲ ୧୪: ଗତକାଲି ମାହାଙ୍ଗର କୁସୁମପୁରରେ ଘଟିଥିବ ଲୋମ ଟାଙ୍କୁରା ଗଣହତ୍ୟା ଘଟଣାର ୪୮ ଘଣ୍ଟା ପୂରିଗଲା । ଏପର୍ଯ୍ୟନ୍ତ ଘଟଣା ଉପରୁ ପରଦା ଉଠାଇପାରୁ ନାହିଁ ପୋଲିସ । ଅପର ପକ୍ଷରେ, ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛନ୍ତି ପୋଲିସ । ଯାହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ ।
ସୂଚନା ମୁତାବକ ମାହାଙ୍ଗା ଥାନା କୁସୁମପୁର ଗ୍ରାମର ଶିବ ପ୍ରସାଦ ସାହୁ ନିଜ ଭାଇ ଅଲେଖ, ଭାଉଜ ରଶ୍ମିରେଖା, ଝିଆରୀ ପାୟଲ ଓ ଦୁଇ ପୁତୁରାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା । ପାରିବାରିକ କଳହ ଘଟଣା ପଛର ଏକମାତ୍ର କାରଣ ବୋଲି ଅଭିଯୁକ୍ତ ଏକ ଭିଡିଓ ଭାଇରାଲ କରିଛି । ତେବେ ଗତକାଲିଠାରୁ ପୋଲିସ କବଜାରେ ଥିବା ଅଭିଯୁକ୍ତ ଶିବକୁ ପୋଲିସ ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି । ଘଟଣାରେ ସଂପୃକ୍ତ ଉଭୟ ପରିବାର ଜମିଜମା ଓ ପାରିବାରିକ ବିବାଦକୁ ନେଇ ଏକାଧିକ ବାର ଥାନାରେ ଦ୍ୱାରାସ୍ଥ ହୋଇଥିବା ସହ ଗ୍ରାମ ମୁରବିଙ୍କ ଦ୍ୱାରା ସମାଧାନର ବାଟ ବାହାରି ନଥିବା ଏପରି ଜଘନ୍ୟକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ହେଉଅଛି ।
ଅନ୍ୟପକ୍ଷରେ, ଶବ ବ୍ୟବଚ୍ଛେଦ ପରେ ପୋଲିସ ଗାଁକୁ ୫ ଜଣଙ୍କ ଶବ ନଦେଇ କଟକଠାରେ ଶବଦାହ କରିଛି । ଯାହା ଏବେ ସାଧାରଣରେ ଆଲୋଚନା ହେଉଛି । ଗ୍ରାମ ଶ୍ମଶାନରେ ଶବଦାହ କରାଯାଇଥିଲେ ଅଧିକ ବିବାଦ ବଢ଼ିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Comments are closed.