ମହିନ୍ଦା ରାଜପକ୍ଷେଙ୍କ ଦେଶ ଛାଡ଼ିବା ଉପରେ ରୋକ୍‌

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଜୋରଦାର ଝଟକା ଲାଗିଛି । ସେ ପଦ ଛାଡ଼ିଥିଲେ ମଧ୍ୟ ଦେଶ ବାହାରକୁ ଯାଇ ପାରିବେ ନାହିଁ । ସେହିପରି ତାଙ୍କ ଭାଇ ପାଇଁ ତଥା ଦେଶର ପୂର୍ବତନ ଅନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ଶ୍ରୀଲଙ୍କା ଛାଡ଼ି ଅନ୍ୟତ୍ର ଯାଇ ପାରିବେନି । ଆଜି ସୁପ୍ରିମକୋର୍ଟ ଦୁଇ ଭ୍ରାତାଙ୍କ ଦେଶ ଛାଡ଼ିବା ଉପରେ ଏପରି ରୋକ ଲଗାଇଛନ୍ତି ।

ଏମାନଙ୍କ ଭାଇ ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କାରୁ ଫେରାର ହେବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଭଳି ମହିନ୍ଦା ଓ ବାସିଲ ମଧ୍ୟ ଦେଶ ଛାଡ଼ି ଫେରାର ହେବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ସେମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଗୋଟାବାୟା ଶ୍ରୀଲଙ୍କାରୁ ପ୍ରଥମେ ମାଳଦ୍ୱୀପ ଯାଇଥିଲେ । ସେଠାରେ ମଧ୍ୟ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏଥିପାଇଁ ସେ ସିଙ୍ଗାପୁର ଚାଲି ଯାଇଛନ୍ତି । ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏପ୍ରିଲ ମାସରୁ ବିକ୍ଷୋଭ ଜାରି ରହିଛି । ଲୋକମାନେ ଦୀର୍ଘ ଦିନ ଧରି ଗୋଟାବାୟା ରାଜପକ୍ଷଙ୍କ ଘର ବାହାରେ ବିକ୍ଷୋଭ କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ପଦରେ ଥିବା ମହିନ୍ଦା ରାଜପକ୍ଷ ବିରୋଧ କରିଥିଲେ ।

ଏପରି କି ବିକ୍ଷୋଭକାରୀଙ୍କୁ ମହିନ୍ଦା ରାଜପକ୍ଷଙ୍କ ସମର୍ଥକମାନେ ମାଡ଼ ମାରିଥିଲେ । ଏହାକୁ ନେଇ ପୂରା ଦେଶରେ ବ୍ୟାପକ ପୋଡ଼ାଜଳା ଦେଖାଯାଇଥିଲା । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଘର ଜାଳି ଦେଇଥିଲେ । ଏହି ପୋଡ଼ାଜଳାକୁ ଦେଖି ମହିନ୍ଦା ରାଜପକ୍ଷ ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ । ଏବେ ତାଙ୍କର ବିଦେଶ ଗସ୍ତ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଅନ୍ୟପକ୍ଷରେ ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ପଦ ଛାଡ଼ିଥିବାରୁ ରାନୀଲ ବିକ୍ରମସିଂଘେ ଶ୍ରୀଲଙ୍କାର କାମ ଚଳା ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି । ରାଜପକ୍ଷ ଇସ୍ତଫା ଦେଇଥିବାରୁ ଶ୍ରୀଲଙ୍କାରେ ମଧ୍ୟ ଶାନ୍ତି ଫେରିବା ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ହେବ ବୋଲି ମଧ୍ୟ ଜଣାପଡ଼ିଛି ।

Comments are closed.