ବିବିଧତାର ଦେଶ ଭାରତ । ଏଠାରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସଂସ୍କୃତି ପରମ୍ପରା ଦେଖିବାକୁ ମିଳିଥାଏ । ଆଜି ବି ଲୋକମାନେ ଏପରି ବହୁ ରୀତିନୀତି ଓ ପରମ୍ପରା ମାନି ଚଳୁଛନ୍ତି ଯାହା ପଛରେ କୌଣସି ଯୁକ୍ତଯୁକ୍ତ କାରଣ ନାହିଁ । ଏପରି ଏକ ଅଦ୍ଭୁତ ପରମ୍ପରା ରହିଛି କର୍ଣ୍ଣାଟକରେ ଯେଉଁଠି ମୃତ ଲୋକଙ୍କ ବିବାହ କରାଯାଇଥାଏ ।
ଏନଡିଟିଭି ରିପୋର୍ଟ ଅନୁସାରେ ଗତ ଜୁଲାଇ ୨୮ରେ କର୍ଣ୍ଣାଟକର ଦକ୍ଷିଣ କାନାଡା ଜିଲ୍ଲାରେ ଶୋଭା ଓ ଚନ୍ଦପା ନାମକ ଏକ ଯୋଡିଙ୍କ ବିବାହ କରାଯାଇଛି । ଏହି ବିବାହ ସମସ୍ତ ରୀତିନୀତିର ସହ ସଂପନ୍ନ ହୋଇଛି କିନ୍ତୁ ଫରକ ଏତିକି ଏମାନେ ଗତ ୩୦ ବର୍ଷ ହେବ ମୃତୁ୍ୟବରଣ କରି ସାରିଲେଣି । ପ୍ରକୃତ କଥା ହେଉଛି କର୍ଣ୍ଣାଟକରେ କଲ୍ୟାଣମ୍ ନାମକ ଏକ ପ୍ରଥା ପାଳନ କରାଯାଏ ଯେଉଁଥିରେ ମୃତ ଲୋକଙ୍କ ବିବାହ ସଂପନ୍ନ କରାଯାଇଥାଏ ।
କର୍ଣ୍ଣାଟକ ଓ କେରଳର କିଛି ରାଜ୍ୟରେ ଆଜି ବି ମାନ୍ୟତା ରହିଛି ଯେ, ଯେଉଁମାନେ ଜନ୍ମ ସମୟରେ ମୃତୁ୍ୟବରଣ କରିଥାନ୍ତି କିମ୍ବା ମୃତ ଜନ୍ମ ହୋଇଥାନ୍ତି ସେମାନଙ୍କ ବିବାହ କରାଇବା ଶୁଭ ହୋଇଥାଏ । ଏଠାରେ ଲୋକମାନେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ସମ୍ମାନ ଜଣାଇ ଏହି ବିବାହ କରାଇଥାନ୍ତି । ଟ୍ୱିଟରରେ ଆନି ଅରୁଣ ନାମକ ଜଣେ ବ୍ୟକ୍ତି ଏହି ମାନ୍ୟତା ସହ ଜଡିତ ପୁରା ଘଟଣା ସେୟାର କରିଛନ୍ତି । ଏହା ସହିତ ସେ ବିବାହ ସମୟର ପୁରା ଭିଡିଓ ସେୟାର କରିଛନ୍ତି ଯେଉଁଠି ସଂପୂର୍ଣ୍ଣ ରୀତିନୀତିର ସହ ବିବାହ ସଂପନ୍ନ ହେଉଥିବାର ଦେଖିବାକୁ ମିଳୁଛି ।
ଏହି ପରମ୍ପରା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ପରିବାରର ସଦସ୍ୟ ପରସ୍ପରଙ୍କ ଘରକୁ ଯାଇ ପ୍ରଥମେ ଏନଗେଜମେଣ୍ଟ କରାଇଥାନ୍ତି ଓ ପରେ ବିବାହର ସମସ୍ତ ରୀତିନୀତି ପାଳନ କରିଥାନ୍ତି । ଏହି ବିବାହକୁ ଛୋଟ ପିଲା କିମ୍ବା ଅବିବାହିତ ଲୋକମାନେ ଦେଖିପାରିବେ ନାହିଁ ।
Comments are closed.