କଟକ : ଆସନ୍ତା ୨ ଦିନ ମଧ୍ୟରେ ସରିବ ସମସ୍ତ ଭାଷାର ମାଟ୍ରିକ୍ ଖାତା ମୂଲ୍ୟାୟନ । ରାଜ୍ୟର ୫୨ଟି ଯାକ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ସରି ଉତ୍ତର ଖାତାଗୁଡ଼ିକ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିବା ପରେ ସେଗୁଡ଼ିକର ଟାବୁଲେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କେବଳ କିଛି ଅନ୍ୟ ଭାଷା ଉତ୍ତର ଖାତା ଯଥା ବେଙ୍ଗଲି, ତେଲୁଗୁ, ଉର୍ଦ୍ଧୁ ଭାଷାର ଖାତା ବୋର୍ଡ ଅଫିସ ପରିସରରେ ମୂଲ୍ୟାୟନ ଚାଲିଛି । ଏହାପରେ ବାକି ସମସ୍ତ ପ୍ରକ୍ରିୟା ସାରିବା ପରେ ଆସନ୍ତା ମାସ ଅର୍ଥାତ ମେ’ ମାସ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।
ଟାବୁଲେସନ୍ କିପରି ତ୍ରୁଟିଶୂନ୍ୟ ହେବ ସେଥିଲାଗି ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ଏଥିଲାଗି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ କର୍ତ୍ତୃପକ୍ଷ ସମୀକ୍ଷା କରିଛନ୍ତି । ଟାବୁଲେସନ୍ ପରେ ପରୀକ୍ଷା ଫଳ ପ୍ରସ୍ତୁତ ଲାଗି ପ୍ରୋସେସିଂ କରାଯିବ । ମେ ମାସ ପ୍ରଥମ ସପ୍ତାହରେ ଫଳ ପ୍ରକାଶନ ଲାଗି ସମୟ ଧାର୍ଯ୍ୟ ରହିଥିବାରୁ ଟାବୁଲେସନ୍ ଓ ମାର୍କ ପ୍ରୋସେସିଙ୍ଗ୍ କାର୍ଯ୍ୟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ଧାର୍ଯ୍ୟ ରଖିଛନ୍ତି ।
ସୂଚନାନୁସାରେ,ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଖାତା ଦେଖା ଆରମ୍ଭ ହୋଇସାରିଛି, ଆଉ ଦୁଇ ଦିନ ଭିତରେ ସମସ୍ତ ଭାଷାର ଖାତା ଦେଖା ସରିବ।