ବ୍ରହ୍ମପୁର : ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ବ୍ରହ୍ମପୁରରେ ତନାଘନା କରୁଛି କ୍ରାଇମ୍ଇବ୍ରାଞ୍ଚ ଟିମ । ତଦନ୍ତ ପାଇଁ ୨୩ ତାରିଖରୁ ବ୍ରହ୍ମପୁର ଯାଇଛି କ୍ରାଇମ୍ଇବ୍ରାଞ୍ଚ । ସେଠାରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପରିବାରକୁ ପଚରାଉଚରା କରିଛି । ଗୋପାଳ ଦାସର ପୁରୁଣା କଲ୍ ଡିଟେଲ୍ସ କୁ ନେଇ ଯାଞ୍ଚ କରାଯାଉଛି । ହତ୍ୟାକାଣ୍ଡର ୬ ମାସ ପୂର୍ବରୁ ଗୋପାଳ ଦାସ କେଉଁ କେଉଁ ମାନଙ୍କୁ ଯୋଗାଯୋଗ କରିଥିଲା,ସମସ୍ତ କଲ ହିଷ୍ଟ୍ରି ବାହାର କରି ତଥ୍ୟ ସଂଗ୍ରହ କରାଯାଉଛି । ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଛି ସେମାନଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଏସ.ପି.ବି.କେ. ମଲ୍ଲିକ ।
ସେହିପରି ଗତକାଲି ଟାଉନ ଥାନାରେ ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କରାଯାଇଛି । ଗୋପାଳ ଦାସର ବଡ଼ ଭାଇ କରିଥିବା ହୋଟେଲର ରୋଷେୟାକୁ ମଧ୍ୟ ଜେରା କରିଥିବା ସୂଚନା ମିଳିଛି । ଗୋପାଳ ଦାସର ବଡ଼ ଭାଇ ସତ୍ୟନାରାୟଣଙ୍କର ଝାରସୁଗୁଡ଼ାରେ ଏକ ହୋଟେଲ ରହିଥିଲା । ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ଏବେ ବୈଦ୍ୟନାଥ ପୁର ଥାନାରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।
ଗୋପାଳ ଦାସର ଭାଇ ହେଉଛନ୍ତି ସତ୍ୟନାରାୟଣ । ସେ ଝାରସୁଗୁଡ଼ାରେ ଏକ ହୋଟେଲ କରିଥିଲେ । କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ିଦେଇଥିଲେ । ତେଣୁ ସତ୍ୟନାରାୟଣ ଏହି ହତ୍ୟାକାଣ୍ଡ ବାବଦରେ ପୂର୍ବରୁ ଖବର ପାଇଥିଲେ ବୋଲି ସନ୍ଦେହ କରାଯାଉଛି । ସେନେଇ ତାଙ୍କୁ ଘନଘନ ଜେରା କରାଯାଇଛି । ସତ୍ୟ ନାରାୟଣଙ୍କୁ ବ୍ରହ୍ମପୁର ଟାଉନ ଥାନାକୁ ଡାକି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଗୋପାଳ ଦାସର ପତ୍ନୀଙ୍କ ବୟାନ ରେକର୍ଡ ହୋଇଥିଲେ ମଧ୍ୟ ପୁଣି ଆଉ ଥରେ ପଚରାଉଚରା କରି ବୟାନ ରେକର୍ଡ କରାଯିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳ ଦାସଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ସୂଚନାନୁସାରେ,୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ଦିନ ପ୍ରାୟ ସାଢେ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିଲା । ତାଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କର ମୃତ୍ୟୁ ଘଟିଥିଲା । ଗୁଳିକାଣ୍ଡ ପରେ ତୁରନ୍ତ ଅଭିଯୁକ୍ତ ଗୋପାଳ ଦାସକୁ କାବୁ କରି ଗିରଫ କରିଥିଲା ପୋଲିସ ।