ଭୁବନେଶ୍ୱର : ରାଜ୍ୟରେ ବଦଳିଛି ପାଣିପାଗ । ସୂର୍ଯ୍ୟଙ୍କ କୋପରୁ ମିଳିଛି ସାମୟିକ ମୁକ୍ତି । ଲଘୁଚାପ ବର୍ଷା ସହିତ ବୁଧବାର ଓଡ଼ିଶାରେ ପହଞ୍ଚିଛି ମୌସୁମୀ । ସ୍ବାଭାବିକ ତାରିଖ ଠାରୁ ୧୫ ଦିନ ଆଗୁଆ ଆସିଛି ମୌସୁମୀ । ଦକ୍ଷିଣ ଓଡ଼ିଶା ଦେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ସହ ଅନ୍ୟାନ୍ୟ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ମୌସୁମୀର ପହିଲି ସ୍ପର୍ଶରେ ଗଛଲତା, ଜୀବଜନ୍ତୁ ହସି ଉଠିଛନ୍ତି । ଚାଷୀ ମୁହଁରେ ଆଶା ଓ ସମ୍ଭାବନାର ସ୍ମିତହାସ୍ୟ ଖେଳି ଉଠିଛି । ନିର୍ଦ୍ଧାରିତ ସମୟର ପାଖାପାଖି ୨ ସପ୍ତାହ ପୂର୍ବରୁ ରାଜ୍ୟରେ ମୌସୁମୀ ପହଁଚିଥିବା ବେଳେ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗତବର୍ଷ ଜୁନ୍ ୭ ତାରିଖରେ ମୌସୁମୀ ଓଡ଼ିଶାରେ ପହଞ୍ଚିଥିଲା । ଏଥର ଜୁନ୍ ମାସ ଆରମ୍ଭ ହେବା ଆଗରୁ, ବେଶ୍ ଆଗୁଆ ରାଜ୍ୟକୁ ଆସିଛି । ଏଥର ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ ବି କରିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅପରାହ୍ନରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ସକ୍ରିୟ ଲଘୁଚାପ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ ରହିଛି । ଲଘୁଚାପ ପ୍ରଭାବରେ ଗୁରୁବାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆସନ୍ତାକାଲି ପାଇଁ ୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ବାକି ୨୬ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ଏହି ୪ ଟି ଜିଲ୍ଲା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି କେନ୍ଦୁଝର, ଯାଜପୁର, ଜଗତ୍ସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ଆଗୁଆ ସତର୍କ କରାଇଛି ।