ମସ୍କୋ: ଏପ୍ରିଲ ୧୪: ଋଷ୍-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ପ୍ରଖର ହେବାରେ ଲାଗିଛି । ଦୁଇ ଦେଶ ପରସ୍ପରକୁ ଆକ୍ରମଣ କରିବାରେ ବିରତି ନେଉନାହାନ୍ତି । ଋଷ୍ ଯେପରି ୟୁକ୍ରେନ୍କୁ ବଳ ଦେଖାଉଛି, ୟୁକ୍ରେନ୍ ମଧ୍ୟ ଠିକ୍ ତାହାର ଜବାବ୍ ଦେଉଛି । ତେବେ ଏହାରି ମଧ୍ୟ ମସ୍କୋ ୟୁକ୍ରେନ୍କୁ ଧମକ ଦେଇଛି । କହିଛି, ଯଦି ୟୁକ୍ରେନୀୟ ସୈନିକମାନେ ରୁଷୀୟ ଅଞ୍ଚଳରେ ଆକ୍ରମଣ ଜାରି ରଖିବେ ତେବେ ରାଜଧାନୀ କିଭ୍ରେ ଥିବା ୟୁକେନ୍୍ର କମାଣ୍ଡ୍ ‘ସେଣ୍ଟର୍’ ଉପରେ ଆକ୍ରମଣ କରାଯିବ ।
ଏ ସଂକ୍ରାନ୍ତରେ ବିବୃତି ଦେଇ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛନ୍ତି ଯେ , ଆମେ ଦେଖୁଛୁ ୟୁକ୍ରେନୀୟ ସୈନିକମାନେ ରୁଷୀୟ ଅଞ୍ଚଳରେ ଭଙ୍ଗାରୁଜା ଏବଂ ଆକ୍ରମଣ କରୁଛନ୍ତି । ଯଦି ଏସବୁଚାଲୁ ରହେ, ତେବେ ରୁଷୀୟ ସଶସ୍ତ୍ରବାହିନୀ କିଭ୍ ସମେତ ଆକ୍ରମଣ ପାଇଁ ନିଷ୍ପତ୍ତି ନେଉଥିବା ୟୁକ୍ରେନୀୟ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିବ ।
ସୂଚନା ଅନୁସାରେ, କିଭ୍ ସେନା ଦକ୍ଷିଣ ରୁଷୀୟ ଅଞ୍ଚଳରେ ଆକ୍ରମଣ କରୁଛି । ଚଳିତ ମାସରେ ରୁଷୀୟ ସେନିକମାନେ କିଭ୍ର ଉତ୍ତରାଞ୍ଚଳରୁ ଫେରିଆସି ପୂର୍ବ ୟୁକ୍ରେନ୍ ଅଞ୍ଚଳ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛନ୍ତି । ଅନ୍ୟପକ୍ଷରେ, ମାରିଉପୋଲକୁ ଋଷ୍ ସେନା ସମ୍ପୂର୍ଣ୍ଣ ଅଧିକାର କରିଛି । ତେବେ ସେଠାରେ ଥିବା ୟୁକ୍ରେନୀୟ ସୈନିକ ଓ ‘ଆଜୋଭ୍ ବାଟାଲିୟନ’ ଖସିଯିବାକୁ ବାଟ ପାଉନାହାନ୍ତି । ନିଜ ହାର୍ ନମାନି ଆଜୋଭ୍ ବାଟାଲିୟନ୍ର ସଦସ୍ୟମାନେ ସାହସର ସହିତ ମାରିଉପୋଲରେ ରୁଷୀୟମାନଙ୍କ ସହ ଭୀଷଣ ଯୁଦ୍ଧ ଜାରି ରଖିଛନ୍ତି ।
Comments are closed.