ଶ୍ରୀ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ, ୩ଦିନ ପରେ ତୁଟିଲା ସେବାୟତ ବିବାଦ

ଭୁବନେଶ୍ୱର : ଭୋଗ ମଣ୍ଡପକୁ ଅଣ ସେବାୟତଙ୍କ ପ୍ରବେଶ ଯୋଗୁଁ ୩ ଦିନ ଧରି ଓପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ I ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଙ୍କ ମଧ୍ୟରେ ବୁଝାମଣା ହୋଇ ନ ପରିପରୁ ମନ୍ଦିରରରେ ଅଚଳାବସ୍ଥା ଲାଗି ରହିଥିଲା I ୩ଦିନ ହେଲା ସମସ୍ତ ନୀତିକାନ୍ତି ବନ୍ଦ ରହିବାକୁ ବିରୋଧ କରିଥିଲେ ସେବା ପ୍ରତିନିଧି । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି କରି ସେବା ପ୍ରତିନିଧି ଧାରଣା ଦେଇଥିଲେ । ଏ ସଂକ୍ରାନ୍ତରେ ଆଜି ଭୁବନେଶ୍ୱର ସର୍କିଟ ହାଉସରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।

ଏଥିରେ ବ୍ରାହ୍ମଣ ନିଯୋଗ , ପୂଜାପଣ୍ଡା ନିଯୋଗ , ବଡୁ ନିଯୋଗ ଓ ସମର୍ଥା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ନୀତି ବିଭ୍ରାଟକୁ ନେଇ ହୋଇଥିବା କଳହର ସମାଧାନ କରାଯାଇଛି।ବୈଠକରେ ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ଜଣାଇଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ କଥା ମାନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କରିବାରେ ସାମିଲ ହୋଇଛନ୍ତି। ପ୍ରତି ମାସରେ ଥରେ ମିଟିଂ କରି ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏବେ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି।

ଘଟଣାନୁସାରେ ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା ପରମ୍ପରା ରହିଛି । କିନ୍ତୁ ଏହା କରାନଯାଇ ଭୋଗକୁ ଭକ୍ତଙ୍କୁ ବଂଟାଯାଇଥିବା ଅଭିଯୋଗ ହୋଇଥିଲା । ସେପଟେ ଭୋଗ ବିକ୍ରୀ କରୁଥିବା ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ କହିଛି, ସମସ୍ତ ଭୋଗକୁ ପୋତାଯାଇଛି । ଆବଶ୍ୟକ ହେଲେ ସିସିଟିଭି ଯାଂଚ କରାଯାଉ । ଏହି ବିବାଦରୁ ନୀତିକାନ୍ତି ବନ୍ଦ ରହିବା ସହ ମହାପ୍ରଭୁ ଲିଙ୍ଗରାଜ ଓପାସରେ ରହିଥିଲେ I

Comments are closed.