ଝାରସୁଗୁଡା : ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କଲେ ନବ ଦାସଙ୍କ ପତ୍ନୀ ମିନତି ଦାସ । ଇ-ମେଲ ଓ ଡାକ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଥିବା ସୂଚନା ମିଳିଛି । ଗତ ୧୧ ତାରିଖରେ ଇ-ମେଲ କରିଥିବା ସୂଚନା ମିଳିଛି । ଇ-ମେଲ ଜରିଆରେ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ପତ୍ନୀ।
କିଛି ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେବାକୁ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ ହୋଇଥିଲା । ହେଲେ ସେମାନେ ହାଜର ନ ହୋଇ ସମୟ ମାଗିଥିଲେ । ଏପରିକି ସିବିଆଇ ତଦନ୍ତ ଦାବି ଚାହୁଁଥିବା ଦୀପାଳି ଓ ବିଶାଳ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।
ସୂଚନାନୁସାରେ, ନବ ଦାସଙ୍କ ହତ୍ୟା ଘଟଣାକୁ ଇତିମଧ୍ୟରେ ୨ ବର୍ଷ ବିତିବାକୁ ବସିଲାଣି I ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଥିଲା । ଯେଉଁଥିରେ ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡିଯାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ନବ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା ।