କଟକରେ ନେତାଜୀ ଜୟନ୍ତୀ, ପରାକ୍ରମ ଦିବସ ପାଳିତ

କଟକ:ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର ୧୦୦ ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ ଦେଶାତ୍ମବୋଧର ଆଲୋଚନା ହୁଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସର୍ବାଗ୍ରେ ରହିଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ପରାକ୍ରମ ଦିବସ ପାଳନ ଅବସରରେ କହିଛନ୍ତି ।

ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ପରାକ୍ରମ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବ୍ରିଟିଶ ଶାସନ ବିରୋଧରେ ନେତାଜୀଙ୍କ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଶର ସ୍ୱାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା । ଏହି ବୀର ଜନନାୟକଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୨୦୨୧ ଜାନୁଆରୀ ୧୯ ତାରିଖରୁ ଘୋଷଣା କରିଛନ୍ତି । ଓଡିଶାର ଏହି ବୀର ସନ୍ତାନଙ୍କ ଜନ୍ମ ସହରରେ ତାଙ୍କ ଜନ୍ମ ଦିବସକୁ ପାଳନ କରିବା ଆମ ପାଇଁ ବଡ ସୌଭାଗ୍ୟର ଅବସର ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅନେକ ଐତିହାସିକ ଓ ସେ ସମୟର ବ୍ରିଟିଶ ଶାସକ ମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ନେତାଜୀଙ୍କ ସଶସ୍ତ୍ର ସଂଗ୍ରାମ ହୋଇନଥିଲେ, ହୁଏତ ଆହୁରି କିଛି ବର୍ଷ ବ୍ରିଟିଶ ସରକାର ଭାରତରେ ଶାସନ କରିପାରିଥାନ୍ତେ । ନେତାଜୀଙ୍କ ବୀରତ୍ୱ ଓ ସଂଗ୍ରାମକୁ ସମ୍ମାନ ପ୍ରଦର୍ଶନ କରି ଆମ ପ୍ରଧାନମନ୍ତ୍ରୀ ୨୦୧୮ଡିସେମ୍ବର ୩୦ସେ ପୁଣି କହିଥିଲେ ଆଜି ତାଙ୍କ ଜନ୍ମ ସହର କଟକ ସାରା ଦେଶରେ ଗର୍ବିତ । କଟକର ଓଡିଆ ବଜାର ହେଉଛି ନେତାଜୀଙ୍କ ଜନ୍ମସ୍ଥାନ । ତାଙ୍କ ବାଲ୍ୟ ଜୀବନ ଏହିଠାରେ ହିଁ କଟିଛି । ରେଭେନ୍ସା କଲିଜିଏଟ୍ ସ୍କୁଲର ସେ ଜଣେ ମେଧାବୀ ଛାତ୍ର ଥିଲେ । କଟକରୁ ହିଁ ନେତାଜୀ ସୁଭାଷଙ୍କ ହୃଦୟରେ ଇଂରେଜ ମାନଙ୍କ ବିରୋଧରେ ବିଦ୍ରୋହର ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ନେତାଜୀ ଆମ ଇତିହାସ ପୃଷ୍ଠାର ଏଭଳି ଜଣେ ନାୟକ ଥିଲେ ଯାହାଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ପଢିଲେ ଦେହରେ ରୋମାଞ୍ଚ ଭରିଉଠିବା ସହିତ ଆଖିରେ ଦୁଇ ଠୋପା ଲୁହ ମଧ୍ୟ ଜକେଇ ଆସେ ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଗଭୀର ପ୍ରଭାବ ଥିଲା । ଏକ ମୁକ୍ତ ଭାରତ ପ୍ରତି ତାଙ୍କର ପ୍ରତିବଦ୍ଧତା, ଦୃଷ୍ଟିକୋଣ ଏବଂ ନିର୍ଭିକ ନେତୃତ୍ୱ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି ଓ ରହିଥିବ ।

Har Ghar Tiranga