କଟକର ବଦଳିବ ରୂପରେଖ

କଟକ: ଜୁନ ୪: କଟକ ସହରର ଭିଡ଼ରୁ ମିଳିବ ନିସ୍ତାର । ସିଡିଏ କରିଛି ମାଷ୍ଟର ପ୍ଲାନ୍‌ । ଭିଡ଼କୁ ଏଡ଼ାଯିବା ନେଇ ଏଇକମ୍‌ କରିବ ସର୍ଭେ । ୭ ମାସ ମଧ୍ୟରେ ଡିଜାଇନ୍‌, ମ୍ୟାପ୍‌ ଓ ସର୍ଭେ ରିପୋର୍ଟ ଦାଖଲ କରିବ ବିଶ୍ୱସ୍ତରୀୟ ଏସସିବି ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଘରୋଇ ସଂସ୍ଥା ଏଇକମ୍‌ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧ କୋଟି ୮୦ଲକ୍ଷ ଟଙ୍କା । ଏ ସଂପର୍କରେ ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଥିଲା, ଯେଉଁଥିରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ସିଏମ୍ସି କମିସନର ଅନନ୍ୟା ଦାସ, ସିଡିଏର ପ୍ଲାନିଂ ସଦସ୍ୟ ଓ ଫାଇନାନ୍ସ ସଦସ୍ୟମାନେ ଉପସ୍ଥିତ ଥିଲେ । ହଜାରେ ବର୍ଷର କଟକ ସହରରେ ହାଇକୋର୍ଟ, ବୋର୍ଡ ଅଫ୍‌ ରେଭିନ୍ୟୁ, ଆର୍ଡିସିଙ୍କ କାର୍ଯ୍ୟାଳୟ, ପୁଲିସ ମୁଖ୍ୟାଳୟ, ଭିଜିଲାନ୍ସ ମୁଖ୍ୟାଳୟ, ମାଧ୍ୟମିକ ଶିକ୍ଷା ପରିଷଦ, ବଡ଼ଡାକ୍ତରଖାନା, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନ, ମାଲଗୋଦାମ, ବିଭିନ୍ନ ବ୍ୟବସାୟର ପେଣ୍ଠସ୍ଥଳୀ ରହିଛି । ହେଲେ, କଟକ ସହରର ଅଧିକାଂଶ ସ୍ଥାନରେ ଗଳିକନ୍ଦି ରାସ୍ତା ରହିଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କଟକ ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ ହାତକୁ ନେଇଛି ନୂଆ ଯୋଜନା । ଏଥିପାଇଁ ସହରର ୧୦ଟି ଜନଗହଳିପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଲା ହାଇକୋର୍ଟ ଛକ, ଏସ୍ସିବି ମେଡିକାଲ ପାଖ, ମଙ୍ଗଳାବାଗ୍‌, ହାୱଡା ମର୍ଟସ, କଲେଜ ଛକ ଇତ୍ୟାଦି । ସେହି ସ୍ଥାନଗୁଡିକରେ ଟ୍ରାଫିକ୍‌ ସମସ୍ୟାର ସମାଧାନ, ଗହଳି ହଟାଇବା ପାଇଁ କିଦ କିଦ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ଓ କଣ କଲେ ଭିଡ଼ କମିବ ଓ ଲୋକ ସୁବିଧାରେ ଯାତାୟତ କରିପାରିବେ ସେଥିପାଇଁ ଏଇକମ୍‌ ରିପୋର୍ଟ ଅନୁସାରେ କାମ ଆରମ୍ଭ ହେବ ଓ ଦୁଇ ବର୍ଷ ମଧ୍ୟରେ କାମ ସରିବ ବୋଲି ସିଡିଏ ଅଧ୍ୟକ୍ଷ ଅନିଲ ସାମଲ ସୂଚନା ଦେଇଛନ୍ତି ।

Comments are closed.