୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ଲାଗୁ ହେବ ନୂଆ ସିଲାବସ୍‌

ପ୍ରଥମ ଶ୍ରେଣୀ ନାମ ଲେଖା ପାଇଁ ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହୋଇଥିବା ଆବଶ୍ୟକ

0

ଭୁବନେଶ୍ୱର: ୨୦୨୬-୨୭ରୁ ନୂଆ ସିଲାବସ୍ ଲାଗୁ ହେବ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ୨୦୨୬-୨୭ ଶିକ୍ଷାବର୍ଷରେ ନୂଆ ସିଲାବସ୍ ଲାଗୁ ହେବ । ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ୍ ବଦଳିବ । ଆମ ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ନୂଆ ରୂପରେ ଆସିବ ନୂଆ ସିଲାବସ୍‌ । ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍‌ ହେବ ତାହା ସିଲାବସ୍‌ରେ ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ସ୍କୁଲ ପିଲାଙ୍କ ଆଡମିଶନକୁ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ପ୍ରଥମ ଶ୍ରେଣୀ ନାମ ଲେଖା ପାଇଁ ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହୋଇଥିବା ଆବଶ୍ୟକ । ସେ କହିଛନ୍ତି କେନ୍ଦ୍ରର ନିୟମ ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ପିଲାଙ୍କୁ ୬ ବର୍ଷ ହେଲେ ଆଡମିଶନ ନେଇପାରିବେ । କିନ୍ତୁ ଓଡ଼ିଶାରେ ଏହି ନିୟମକୁ କୋହଳ କରାଯାଇଛି । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହେଲେ ସ୍କୁଲରେ ନାମ ଲେଖାଇ ପାରିବେ । କେହି ପିଲା ଯେପରି ପାଠପଢାରୁ ବଂଚିତ ନ ହୁଅନ୍ତି ସେ ନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ତ୍ରୀ । କିଛି ଦିନ ହେଲା ୬ ବର୍ଷରେ ପିଲାଙ୍କ ଆଡମିଶନକୁ ନେଇ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଥିଲା ଦ୍ବନ୍ଦ୍ବ ।

 

Leave A Reply

Your email address will not be published.