ଭବାନୀପାଟଣା: ଆଗାମୀ ଜାନୁଆରୀ ମାସରେ କେରଳରେ ପନୋରମା ଆନ୍ତର୍ଜାତୟ ସାହିତ୍ୟ ଉତ୍ସବ- ୨୦୨୩ ଅନୁଷ୍ଠିତ ହେବା ସ୍ଥିର ହୋଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା-ସମଗ୍ର ବିଶ୍ୱରେ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା କରିବା । ବିଶ୍ୱରେ ଏକ ଦୀର୍ଘତମ ଉତ୍ସବ ଭାବରେ ପରିଗଣିତ ଏହି ଉତ୍ସବ ଆସନ୍ତା ୨୯ ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ କେରଳର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବ ବୋଲି ଭବାନୀପାଟଣାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟିର ସଭାପତି ତଥା କବି ଭବାନୀ ଶଙ୍କର ନିଆଲ ପ୍ରକାଶ କରିଛନ୍ତି ।
ଶ୍ରୀ ନିଆଲ ପ୍ରକାଶ କରିଥିଲେ ଯେ, ଏହି ଉତ୍ସବରେ ବିଭିନ୍ନ ଦେଶର ଖ୍ୟାତନାମା ଲେଖକ ତଥା କବି ସାମିଲ ହେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହା ରାଇଟରସ୍ କ୍ୟାପିଟାଲ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ବୋଲି ଜ୍ଞାନପୀଠ ପୁରସ୍କାର ବିଜେତା ତଥା ବିଶିଷ୍ଟ ଗାଳ୍ପିକା ପ୍ରତିଭା ରାୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଏହି ତ୍ରିଦିବସୀୟ ସାହିତ୍ୟ ଉତ୍ସବର ମୁଖ୍ୟ ପ୍ରସଙ୍ଗ’ ବାୟୁ ବା ଏୟାର’ରଖାଯିବା ନିମନ୍ତେ ସ୍ଥିରୀକୃତ କରାଯାଇଛି । ଆଜି ମନୁଷ୍ୟ ନିଃସଙ୍ଗ ଜୀବନ ଜିଉଁଛି କାହିଁକି ନା ସେ ନିଜ ନିଜ ଭିତରେ ସମ୍ପର୍କୀୟ ସେତୁ ବଦଳରେ ବିଭେଦର କାନ୍ଥ ସବୁ ଠିଆ କଲାଣି । କି;ୁ ସାହିତ୍ୟ ହିଁ ସମ୍ପର୍କର ସେତୁ ନିର୍ମାଣ କରି ହୃଦୟକୁ ହୃଦୟ ସହିତ ଯୋଡିଥାଏ ବୋଲି ଡ଼. ପ୍ରତିଭା ରାୟ ମତ ଦେଇଛନ୍ତି ।
ଏହି ଅବସରରେ ସେ ପୁଣି କହିଛନ୍ତି ଯେ, ଉତ୍ସବର ମୁଖ୍ୟ ବିଷୟ ବସ୍ତୁ ’ବାୟୁ’ ଦାର୍ଶନୀକ ତଥା ପାରିପାର୍ଶ୍ୱିକ ପରିବେଷ ଦୃଷ୍ଟିରୁ ବିଚାରକଲେ ପ୍ରାସଙ୍ଗିକ ମନେ ହେଉଛି । ମୁଁ ଆଶା କରୁଛି ଯେ ଏହି ମଞ୍ଚରେ ବିଶେଷ ଆଲୋଚନା,ଅନ୍ତସାଂସ୍କୃତିକ ସଂପର୍କ ସ୍ଥାପନ ତଥା, ପ୍ରତ୍ୟେକ ଲିଖିତ ଶବ୍ଦର ଦୃଢ଼ତାର ସହିତ ଉପସ୍ଥାପନା ହେବା ନିମନ୍ତେ ପଥ ସୁଗମ ହୋଇପାରିବ । ଏହି ଉତ୍ସବରେ ଏଥର ସମସ୍ତ ପଦାଧିକାରୀ ଏକା ସାଙ୍ଗରେ ଦୁଇ ପ୍ରକାର ମାଧ୍ୟମରେ ଯଥା ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଓ ଅନଲାଇନ୍ ମାଧ୍ୟମରେ ଭରଚୁଆଲ ମୋଡ଼ରେ ମଧ୍ୟ ନିଜର ସମ୍ପାନ ଉପସ୍ଥାପନ କରିପାରିବେ । ଏପରିକି ସେମାନେ ନିଜ ନିଜ ଦେଶରେ ଅନୁଷ୍ଠିତ ଏହି ଜାତୀୟ ସାହିତ୍ୟ ଉତ୍ସବରେ ମଧ୍ୟ ନିଜର ସମ୍ପାନରେ ଉପସ୍ଥାପନ କରିପାରିବେ । ଏହି ଉତ୍ସବ ଯଦିଓ ସ୍ପେନରେ ଅନୁଷ୍ଠିତ ହେଉଛି ଏବଂ ଆନ୍ତର୍ଜାତୀୟ ସ୍ତରରେ ସ୍ପେନ ଏହାର ଉଦ୍ୟୋକ୍ତା ଅଛି ତଥାପି ଭାରତବର୍ଷ କେରଳ କସରଗଡ଼ ଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳରେ ଜାତୀୟ ସ୍ତରରେ ଏହି ଉତ୍ସବ ଅନୁଷ୍ଠିତ ହେଉଅଛି ।
ଆୟୋଜକ କମିଟିର ସଭାପତି ତଥା କବି ଡ଼. ଭବାନୀ ଶଙ୍କର ନିଆଲ ପ୍ରକାଶ କରନ୍ତି ଯେ, ସପ୍ତ ଭାଷାର ମାଟି କଶରଗଡ଼ ଏହାର ସାଂସ୍କୃତିକ ବିବିଧତା ତଥା ଭାଷାର ବିବିଧତା ଐକ୍ୟ ପ୍ରତିଷ୍ଠା କରିବା ବିଶେଷ ଜଣାଶୁଣା ଯାହାକି ପନୋରମା ଆନ୍ତର୍ଜାତୀୟ ସାହିତ୍ୟ ଉତ୍ସବ ଆୟୋଜନ କରିବାପାଇଁ ଆକର୍ଷିତ କରିଛି ଆୟୋଜକ ମାନଙ୍କୁ । ଦେଶର ବିଭିନ୍ନ ଅଞ୍ଚଳର ବିଭିନ୍ନ ଭାଷାଭାଷୀର କବି ତଥା ଲେଖକ ସାହିତ୍ୟର ଏହି ମହାକୁମ୍ଭରେ ଯୋଗଦେଇଥିବାରୁ ଏହା ଆହୁରି ମହାର୍ଘ ମନେ ହେଉଛି । ଲେଖକ ମାନଙ୍କୁ ତାଙ୍କ ଲେଖାଗୁଡିକ ଉପସ୍ଥାପନ କରିବାର ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବା ସହ ଏହି ମହାମିଳନର ଉଦ୍ଦେଶ୍ୟ ହେଉଛି ମାନବ ସମାଜ ପ୍ରତି ବିପଦର ଆଶଙ୍କା ସୃଷ୍ଟି କରୁଥିବା ’ବାୟୁ ପ୍ରଦୂଷଣ’ ପ୍ରତି ସମସ୍ତଙ୍କୁ ଜାଗୃତ କରିବା । ଏହାର ଆୟୋଜକ ମାନେ ମତ ଦେଇଛନ୍ତି ଯେ, ଏହି ସାହିତ୍ୟର ମହାମିଳନ ଜରିଆରେ ଯେ କେବଳ ବୌଦ୍ଧିକ ଆଲୋଚନା ହେବ ତା’ ନୁହେଁ ଏହା ମାଧ୍ୟମରେ ସାରା ପୃଥିବୀରେ କିପରି ପରିବେଶ ପ୍ରଦୂଷଣକୁ ରୋକଯାଇ ପାରିବ ଏବଂ ଆଗାମୀ ବଂଶଧର ମାନଙ୍କ ପାଇଁ ଏକ ପ୍ରଦୂଷଣ ମୁକ୍ତ ସ୍୍ୱଚ୍ଛ ପରିବେଶ ସୃଷ୍ଟି କରାଯାଇପାରିବ ସେ ନେଇ ଜନଜାଗରଣ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ. ବଙ୍କିମ ମୁଣ୍ଡ ଓ ଡ. ତପନ ରଥ ଯୋଗ ଦେଇଥିଲେ । ପ୍ରଦୀପ ଦାସ ସହଯୋଗ କରିଥିଲେ ।
Comments are closed.