ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଦେଖିବେ ଭକ୍ତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଏପ୍ରିଲ ୧୩: ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ମେ’ ମାସ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଏଥର ସାମିଲ ହେବେ ଭକ୍ତ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ମଙ୍ଗଳବାର ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇ ଥିବା ଜଣା ପଡିଛି ।
 ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଦେଖିବେ ଭକ୍ତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ କଟକଣା ଯୋଗୁ ଭକ୍ତମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ ମାତ୍ରା କମୁଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଆଗାମୀ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ର୍ନିଘଣ୍ଟ ବୈଠକରେ ଚୂଡାନ୍ତ ହୋଇଛି ।
ଶ୍ରୀମନ୍ଦିର ରୋଷଘର ଭିତରେ ଚୁଲା ଭାଙ୍ଗିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ମନ୍ଦିର ଭିତରେ ଥିବା ସମସ୍ତ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Comments are closed.