ନୂଆପଡ଼ା : ଫେବୃଆରୀ ୧୯: ନୂଆପଡ଼ା ଜିଲ୍ଲାରେ ବୁଧବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ଭରୁଆମୁଣ୍ଡା ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମର ୨ ନଂ ବୁଥରେ ଜାଲିଆତି କରି ଭୋଟ୍ ଦିଆଯାଉଥିବା ଅଭିଯୋଗ ହେବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ବୁଥରେ ପହଞ୍ଚି ବୁଝାସୁଝା କରିବା ପରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା ଭରୁଆମୁଣ୍ଡା ଗ୍ରାମର ୨ନଂ ବୁଥରେ ଜଣେ ମହିଳା ଭୋଟରଙ୍ର୍କ ନାମରେ ଅନ୍ୟ ଜଣେ ମହିଳା ବୁଥ ଭିତରକୁ ଯାଇ ମତଦାନ କରିଥିଲେ ।
ଏ ସଂପର୍କରେ ଭରୁଆମୁଣ୍ଡାର ସରପଞ୍ଚ କାନ୍ତିଲାଲ ସାହୁ ବୁଥ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ ଅଭିଯୋଗ କରିଥିଲେ । ଉକ୍ତ ମହିଳା ଭୋଟର ବର୍ତ୍ତମାନ ଗାଁରେ ଉପସ୍ଥିତ ନାହାନ୍ତି । ହେଲେ ତାଙ୍କ ନାମରେ ଜାଲିଆତି କରି ଜଣେ ମହିଳା ଭୋଟ୍ ଦେଉଥିବା ଅଭିଯୋଗ କରିଥିଲେ । ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଲକ୍ଷ୍ମଣ ମାଝୀ ଓ ପୁଲିସ କର୍ମଚାରୀ ତୁରନ୍ତ ଭରୁଆମୁଣ୍ଡା ବୁଥକୁ ପହଞ୍ଚି ଅଭିଯୋଗ କରିଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ଜାଲିଆତ କରି ଭୋଟ ଦିଆଯାଇଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ବୁଥରେ ଉତ୍ତେଜନା କମିବା ପରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ଏହାକୁ ନେଇ ସରପଞ୍ଚ କାନ୍ତିଲାଲ ସାହୁ ଧରମବନ୍ଧା ଥାନାରେ ଏକ ଅଭିଯୋଗ କରିଥିବା ଜଣାପଡ଼ିଛି ।
Comments are closed.