ସତ କି ସ୍ୱପ୍ନ ମୁଁ ଜାଣିନି ହେଲେ ସପନ ରାଇଜେ ମନ ମୋ ଖୋଜୁଥାଏ ତାକୁ
ବାହାନା ଲୋଡୁଥାଏ ତା ଓଠ ହସ ବଗିଚାରେ ନିଜକୁ ହଜେଇ ଦେବାକୁ
ରାତିର ଗହମ ନିଦରେ ସେ ଆସି ପାଇନ୍ତରା ମାରେ ମୋ ମନ ଅଗଣାରେ
ନିରବୀ ହୃଦୟ ମୋ ଶିହରୀ ଉଠଇ ତା ଶିଥିଳ ଅଶରିରୀ ସ୍ପର୍ଶରେ ।
ଫିକା ବାଦଲର ଆଢୁଆଳରେ ଲାଜର ଗହଣା ନାଇଁ କଣେଇ ଚାଉଁଥିବା ସେ ଜହ୍ନ
ସେ ଚାହାଣିର ନିଶାଣ ସାଜି ମୁରୁକି ହସି ଉଠୁ ଥିବା ମୋ ମନ
ପାହାନ୍ତି ସ୍ୱପ୍ନର ଅପେରା ରାଇଜେ ଖୋଜେ ତାକୁ ମନ ପ୍ରେମର ପରସ ପିନ୍ଧି
ହେଲେ ନିଦ ଭାଙ୍ଗିବାର ଅପରାଧେ, ସ୍ୱପ୍ନ କାରାଗାରେ ହେଇଯାଏ ମୁଁ ବନ୍ଦୀ ।
ତା ତନୁ ମନ ଛୁଇଁ ଅଙ୍ଗେ ଅଙ୍ଗେ ଭରି ମଧୁର ପୁଲକ ଉନ୍ମଦିଯାଏ
ଭାଙ୍ଗେ ମୋ ନିଦ ନିଃଶ୍ୱାସେ ତା ଦେହର ମହକ ଲହରୀ ଖେଳିଯାଏ,
ଖୋଜି ବୁଲେ ମନ ପାଇବାକୁ ସେ ଉଷୁମ ସ୍ପର୍ଶ ପରର ସିହରଣକୁ
ତା ଲାଜୁଆ ଫୁଲର ଅତର ଭିତରେ ନିଜକୁ ଭିଜେଇ ଦେବାକୁ ।
ଖେଳୁଥାଏ ହସ ତା କୋମଳ ଓଠରେ ଝାପ୍ସା ଅବିର ବୋଳି
କେବେ ବୈଶାଖ କୃଷ୍ଣ ଚୂଡ଼ାର ନାୟିକା ତ’ କେବେ ଶ୍ରାବଣୀ ବଧୂ ଟିଏ ଭଳି,
ଗଭୀର ନିଶୀଥେ ମୋ ପ୍ରେମ ପ୍ରଣୟିନୀ ଖୋଜେ ସେ ନୀଳ ନୟନାର ତୃଷ୍ଣା,
ମହୁଆ ମାଦକ ସଂଜୁଆ ବେଳର ସେଇ ସଜ ଶେଫାଳୀର ବାସ୍ନା ।
ମୋ ହୃଦୟ ସାଗରେ ଅସରନ୍ତି ପ୍ରଶ୍ନ ଢେଉ ତା’ ଉତ୍ତରର ଅପେକ୍ଷାରେ
ଅମାନିଆ ମନ ତଥାପି ଇଚ୍ଛାରେ ହଜିଯିବାକୁ ତା ଶାଶ୍ୱତ ପ୍ରେମ ଆଲିଙ୍ଗନରେ,
କେମିତି ଭାବିବି ସେ ମୋ ପାଇଁ କ’ଣ, କବିର କବିତା ନା ଶିକାରୀ ନିଶାଣ
ନିଦ ଭାଙ୍ଗିବାର ଅପରାଧେ ବନ୍ଦୀ ହୋଇ ସହେ ଆଜି ମୁଁ କେତେ କଷଣ ।
Comments are closed.