ବିପିନ ରାୱତଙ୍କ ହେଲିକପ୍‌ଟ ଦୁର୍ଘଟଣା ଘଟଣା :ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଡିସେମ୍ବର ୧୧:ଆଜି ଭୁବନେଶ୍ୱରରେ ପହଞ୍ଚିଛି ସହିଦ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଅଣାଯାଇଛି । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ନିରଞ୍ଜନ ପୂଜରୀ, ଅଶୋକ ପଣ୍ଡା, ଡିସିପି ଅଭୟ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଏହାସହ ଭୁବନେଶ୍ୱରରେ ୧୨୦ ବାଟାଲିଅନ୍‌ଙ୍କ ତରଫରୁ ଗାର୍ଡ ଅଫ ଅନର ଦିଆଇଛି । ଏବେ ଜନ୍ମ ମାଟି ଅଭିମୁଖେ ବାହାରି ସାରିଛି ସହିଦଙ୍କ ପାର୍ଥିବ ଶରୀର ।

ସୂଚନା ଅନୁସାରେ, ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ୧ ବର୍ଷର ପୁଅ ଅଛି ।

ତାମିଲନାଡୁର ନୀଳଗିରି ଜିଲ୍ଲାରେ ଥିବା କୁନୁରରେ ବୁଧବାର ଦିନ ଏକ ଦୁର୍ଭାଗ୍ୟପୂର୍ଣ୍ଣ ହେଲିକପ୍‌ଟର ଦୁର୍ଘଟଣା ହୋଇଥିଲା । ଏଥିରେ ଦେଶ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସ ରହିଥିଲେ । ସେ ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । ସେ ଦୀର୍ଘ ୧୨ ବର୍ଷ ଧରି ଦେଶ ସେବା କରିଆସୁଥିଲେ ।

Comments are closed.