ବୁଥ ପରିବର୍ତ୍ତନକୁ ବିରୋଧ: ଭୋଟ ବର୍ଜନ କଲେ ଗ୍ରାମବାସୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ସୂରୀ ପଞ୍ଚାୟତ କମୁଗୁଡା ଗ୍ରାମବାସୀ ବୁଥ ପରିବର୍ତ୍ତନକୁ ତୀବ୍ର ବିରୋଧ କରିଛନ୍ତି । ୩୦ବର୍ଷର ବୁଥ ବଦଳାଇ ପାଖ ଗାଁ ମାଉଡିଗୁଡା ନୂଆ ବୁଥରେ ମତାଦାନ ବିରୋଧରେ ବିରୋଧ କରିଛନ୍ତି ଗ୍ରାମବାସୀ । ସେମାନେ ସମୂହ ମତଦାନ ବର୍ଜନ କରିଛନ୍ତି ।

ସୂଚନା ଅନୁଯାୟୀ, ପୁରୁଷ ପୁରୁଷ ଧରି କମୁଗୁଡା ଗ୍ରାମର ୪୦ ପରିବାର ନିଜ ଗାଁରେ ଭୋଟ ଦେଇ ଆସୁଥିଲେ । ତେବେ କାହାକୁ କିଛି ନଜଣାଇ ହଠାତ ମାଉଡିଗୁଡାକୁ ବୁଥ ପରିବର୍ତ୍ତନ କରିଦିଆଯାଇଛି । ଗାଁରେ ୬୦ ଜଣ ମତଦାତା ଥାଇ ମଧ୍ୟ କାହାର ଦୃଷ୍ଟିକୁ ନନେଇ ପରିବର୍ତ୍ତନ ଗାଁ ପାଇଁ ଦୁର୍ଭାଗ୍ୟର କଥା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଶିକ୍ଷା, ରାସ୍ତା ଏବଂ ପାନୀୟ ଜଳ ଦିଗରେ ମଧ୍ୟ ସେମାନଙ୍କୁ ଅବହେଳା କରାଯାଇଥିବା ଏକ ସ୍ୱରରେ ସେମାନେ କହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଥିଲା । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ୪ର୍ଥ ପର୍ଯ୍ୟାୟରେ ମୋଟ ୧୭,୦୮୯ଟି ବୁଥରେ ପ୍ରାୟ ୫୧.୩୧ ଲକ୍ଷ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ।

Comments are closed.