ଦୁଇଦିନ ମଧ୍ୟରେ ରାଜ୍ୟରେ ରାତ୍ରିକାଳୀନ ଶୀତ ବଢ଼ିବ: ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଜାନୁଆରୀ ୨୮: ଆଗାମୀ ଦୁଇଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ୍‌ ହ ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ସୂଚନା ଦେଇଛନ୍ତି । ଶୀତ ଲହରର ପ୍ରଭାବରେ ଜାନୁଆରୀ ୩୦ ତାରିଖ ଯାଏ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେବ । ରାଜ୍ୟ ମଧ୍ୟକୁ ଉତ୍ତରା-ପଶ୍ଚିମା ଓ ଥଣ୍ଡା-ଶୁଷ୍କ ବାୟୁ ପ୍ରବେଶ କରୁଥିବା ହେତୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ସେହିପରି ପାହାଡ଼ିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରି ତାପମାତ୍ରା ୧୦ ଡିଗ୍ରି ସେଲସିୟସରୁ କମ୍‌ ରେକର୍ଡ ହେବା ସମ୍ଭାବନା ରହିଛି ।

ଏଥିପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହି ଜିଲ୍ଲାଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଓ ବରଗଡ଼ । ଅନ୍ୟପକ୍ଷରେ , ୨୯ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯଇଛି । ୩୦ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସୂଚନା ଅନୁସାରେ, ଗତକାଲି ରାଜ୍ୟର ୧୦ ଜିଲ୍ଲାରେ ରାତ୍ରିକାଳୀନ ତାପମାତ୍ରା ୧୧ଂ ସେଲ୍‌ସିଅସ ତଳକୁ ରହିଥିଲା । ଭୁବନେଶ୍ୱରରେ ୧୨. ୧ଂ ଏବଂ କଟକରେ ୧୩ଂ ସେଲସିଅସ୍‌ ରାତ୍ରିକାନୀନ ତାପମାତ୍ରା ରେକର୍ଡ କରାଯାଇଛି ।
ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ଂ ସେଲ୍‌ସିଅସ ରେକର୍ଡ କରାଯାଇଥିଲା ବେଳେ କେନ୍ଦୁଝର ଓ ଫୁଲବାଣୀରେ ୮ଂ ସେଲ୍‌ସିଅସ, ବୌଦ୍ଧ, ସୋନପୁର ଓ ଭବାନୀପାଟଣାରେ ୯ଂ ସେଲ୍‌ସିଅସ, ଅନୁଗୁଳରେ ୯.୬ଂ ସେଲ୍‌ସିଅସ ଏବଂ କୋରପୁଟ ଓ ନୟାଗଡ଼ରେ ୧୦ଂ ସେଲ୍‌ସିଅସ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.