ଭୁବନେଶ୍ୱର ବିମାନ ବନ୍ଦରରେ ଓରମାସ ଆଉଟଲେଟ

ଜାତୀୟ ଓ ଅର୍ନ୍ତଜାତୀୟ ଗ୍ରାହକଙ୍କ ହାତ ପାହାନ୍ତରେ ମିଳିବ ଏସ୍‌ଏଚ୍‌ଜି ସାମଗ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓଡ଼ିଶା ଗ୍ରାମୀଣ ମହିଳା କାରିଗରଙ୍କ ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପଦାର୍ଥ ଏବଂ ଘର ସାଜସଜ୍ଜା ଜିନିଷ ଆଦି ମିଳିପାରିବ । ଏଥିପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଖୋଲାଯାଇଛି ଏକ ସ୍ୱତନ୍ତ୍ର ଷ୍ଟଲ ।

ଶୁକ୍ରବାର ଦିନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, (ଆଇ.ଏ.ଏସ୍‌)ଏହାର ଉଦଘାଟନ କରିଥିଲେ । ଏହି ବିକ୍ରୟ କେନ୍ଦ୍ରରେ ବିଭିନ୍ନ ଜିଲ୍ଲାର ମହିଳା ଏସଏଚଜି ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ହସ୍ତତନ୍ତ ସାମଗ୍ରୀ, ଖାଦ୍ୟ ପଦାର୍ଥ ଓ ବନଜାତ ଦ୍ରବ୍ୟ ଆଦି ବିକ୍ରି କରାଯିବ । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝରର ଜ୍ୟୋତି ପେପର ମାସେ- ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପେପର ମାସେ ଷ୍ଟେସନାରୀ ଓ ଡେକୋରେଟିଭ ସାମଗ୍ରୀ ସହିତ ମୟୂରଭଞ୍ଜ ସବାଇ ଘାସରୁ ତିଆରି ଘର ସାଜସଜ୍ଜା ସାମଗ୍ରୀ, ଯାଜପୁର ଟସର ସାମଗ୍ରୀ ଏବଂ ଅନୁଗୋଳ ଜିଲ୍ଲାର ହସ୍ତତନ୍ତ ଓ ବାଉଁଶରୁ ପ୍ରସ୍ତୁତ ଜିନିଷ ମିଳିପାରିବ ।

ଏହି ବିକ୍ରୟ କେନ୍ଦ୍ରକୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ସ୍‌ୱୟଂ ସହାୟିକା ଗୋଷ୍ଠୀ ପରିଚାଳନା କରିବେ । ଓଡ଼ିଶାକୁ ପରିଭ୍ରମଣ ତଥା ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ମଧ୍ୟରେ, ଆମ ରାଜ୍ୟର ଗ୍ରାମୀଣ ମହିଳା କାରିଗରଙ୍କ ଏହି ହସ୍ତଶିଳ୍ପ ସାମଗ୍ରୀ ଚାହିଦା ସୃଷ୍ଟି କରିବ ଛ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହି ସବୁ ସାମଗ୍ରୀର ସ୍‌ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ମଧ୍ୟ ଏହି ଷ୍ଟଲ ସହାୟକ ହୋଇପାରିବ ବୋଲି ଓରମାସ ତରଫରୁ ସୂଚନା ଦିଆଯାଇଛି । ଓରମାସ ଆଉଟଲେଟରେ ବିକ୍ରି ପାଇଁ ଉପଲବଧ ସାମଗ୍ରୀ ଗୁଡ଼ିକର ଗୁଣବତ୍ତା, ବ୍ରାଣ୍ଡିଂ ଓ ପ୍ୟାକେଜିଂ ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ, ଗ୍ରାହକମାନଙ୍କ ଦ୍ୱାରା ସେଗୁଡ଼ିକ ଭଲ ଆଦୃତି ଲାଭ କରିବ ବୋଲି ସୂଚନା ଦେଇଛନ୍ତି ଓରମାସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଶ୍ରୀମତି ଗୁହା ପୁନମ ତାପସ କୁମାର, (ଆଇ.ଏ.ଏସ୍‌) ।

ଉଦଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ଡକଫର ପ୍ରଭାତ ରଞ୍ଜନ ବେଉରିଆ, ଅନିମେଶ ରାହା, କମର୍ସିଆଲ ମ୍ୟାନେଜର, ଓରମାସ ମାର୍କେଟିଂ ବିଭାଗର ଯୁଗ୍ମ କାର୍ଯ୍ୟର୍ନିବାହୀ ଅଧିକାରୀ ସୂଜୟ କରଙ୍କ ସମେତ ବିମାନବନ୍ଦର କାର୍ଯ୍ୟାଳୟର ଅଧିକାରୀ ଏବଂ ଓରମାସର ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.