ସେଇ ଦୂର ପାହାଡି ଝରଣା
ନେତ୍ର ଫଳକକୁ ଆହ୍ଲାଦ ଦିଏ
ଦିଗନ୍ତ ବିସ୍ତାରିଥିବା ନୀଳ ଆକାଶ ବି
ତା ଠୁ ଟିକେ କମ୍ ନୀଳ ଲାଗେ
ବଂଶୀର ମଧୁର ମୂର୍ଚ୍ଛନାବି ଫିକାଲାଗେ
ତା କଳକଳ ନାଦ ଠାରୁ
କେଜାଣି କେଉଁଠୁ ନିର୍ଗତ ହୁଏ ସେ
ମା କୋଳର ନିସ୍ୱାର୍ଥ ପ୍ରେମ ପରି
ନିର୍ବିକାରେ ଝରିଯାଏ
ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଇବା ଅର୍ଥେ
କିନ୍ତୁ ସତରେ ସେ କେଡେ ଏକା ?
ମନର ଏକାକି ଭାବକୁ ନେଇ ଝରୁଥାଏ
ସତେ ଯେମିତି କହି ପକେଇବ ଅନେକ କଥା
କିନ୍ତୁ ତା କଥା ଶୁଣିବ ବା କିଏ!
ପାହାଡି ଝରଣା ସେ
ବହିଯିବା ତା ଲିଖିତ ଭାଗ୍ୟ
ଶାନ୍ତ ସଧିରତା ତା ପାଇଁ ପାପ
ସତେ ଯେମିତି କେଉଁ ଅସ୍ପୃଶ୍ୟ ଗାଁର କନ୍ୟା
ସମସ୍ତେ ତା ପାଇଁ ପରଦେଶୀ
ସାମାନ୍ୟ ନିକଟତର ହେବାର ଚେଷ୍ଟା ବି
ତା ସହ ଭାସିଯିବାର ଆସ୍ପର୍ଦ୍ଧା
ସେଥିପାଇଁ ସେ ପାହାଡି ଝରଣା
ନେତ୍ର ଫଳକକୁ ଆହ୍ଲାଦ ଦିଏ
ତା ସହ ଭାସିବା ମନା
Comments are closed.