ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କୀ ହମଲା ଘଟଣାରେ ୩ ଆତଙ୍କବାଦୀଙ୍କ ସ୍କେଚ ଜାରି କରାଯାଇଛି । ୩ ଜଣ ଆତଙ୍କବାଦୀ ହେଲେ ଅସିଫ୍ ଫୌଜି, ସୁଲେମାନ୍ ଶା ଏବଂ ଅବୁ ତଲ୍ଲାର । ସୁରକ୍ଷା ଏଜେନ୍ସିଗୁଡ଼ିକ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା କରିବା ପରେ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛନ୍ତି । ଏମାନଙ୍କୁ ଧରିବାକୁ ଜୋରଦାର କସରତ ଜାରି ରହିଛି । ଏମାନଙ୍କ ମଧ୍ୟରେ କିଛି ସ୍ଥାନୀୟ ଆତଙ୍କବାଦୀ ଥିବା ଜଣାପଡିଛି ।
ଆତଙ୍କବାଦୀଙ୍କୁ ଧରିବା ପାଇଁ ତନାଘନା ଚାଲିଛି । ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସ ଆତଙ୍କୀକୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି । ସେନା ଓ ପୋଲିସ ପୋଷାକରେ ଆସିଥିଲେ ଆତଙ୍କବାଦୀ । ନାଁ ପଚାରି ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ଏପରି ବର୍ବର ଆକ୍ରମଣ ପରେ, ଆଜି ଦିଲ୍ଲୀରେ ଏକ CCS ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଗୃହମନ୍ତ୍ରୀ ଅମିତ ଶାହ, ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ଜମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ ସଭାପତି ତାରିକ କରାଙ୍କ ସହ କଥା ହୋଇଛନ୍ତି ଏବଂ ସେଠାକାର ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି।