ନୂଆଦିଲ୍ଲୀ : ପେହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରେ ପାକିସ୍ତାନ କରିବ ମିସାଇଲ ପରୀକ୍ଷଣ । ଭୁପୃଷ୍ଠ ରୁ ଭୁପୃଷ୍ଠ ମିସାଇଲ ପରୀକ୍ଷଣ ପାଇଁ ବିଜ୍ଞପ୍ତି ଜାରି କରିଛି ପାକିସ୍ତାନ । ଆଜି ଏବଂ ଆସନ୍ତା କାଲି କରାଚୀ ଉପକୂଳରେ ମିସାଇଲ ପରୀକ୍ଷଣ ହେବ । ଭାରତ ସହ ତିକ୍ତତା ବୃଦ୍ଧି ପାଇବା ପରେ ଏହି ନିଷ୍ପତ୍ତି ନେଇଛି ପାକିସ୍ତାନ । ଏନେଇ ଭାରତ ସୀମା ସୁରକ୍ଷା ଏଜେନ୍ସି ପକ୍ଷରୁ ଘଟଣା ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି ।
ସୂଚନାନୁସାରେ,ଏପ୍ରିଲ ୨୨ରେ ପେହଲଗାମରେ ହୋଇଥିବା ଅମାନୁଷିକ ଆତଙ୍କବାଦୀ ଆକ୍ରମଣ ପରେ ଅଧିକ କଠୋର ହୋଇଛି ଭାରତ । ପାକିସ୍ତାନ ବିରୋଧରେ ଆରମ୍ଭ ହୋଇଛି କୂଟନୈତିକ ଯୁଦ୍ଧ । ଭାରତ ନେଇଛି ୫ଟି ବଡ଼ ପଦକ୍ଷେପ । ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକର୍କିତ କ୍ୟାବିଟେନ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସହ ବାତିଲ ହୋଇଛି ୧୯୬୦ ସିନ୍ଧୁ ଜଳ ଚୁକ୍ତି । ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର ।
ସେହିପରି ୱାଘା-ଅଟ୍ଟାରୀ ସୀମା ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପାକିସ୍ତାନୀ ନାଗରିକଙ୍କୁ ଭିସା ବାତିଲ ହେଲା । ସାର୍କ ଭିସାରେ ଭାରତ ଆସିପାରିବେନି ପାକିସ୍ତାନୀ । ସାର୍କ ଭିସାରେ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ଥିବା ସାମରିକ ପରାମର୍ଶଦାତାଙ୍କୁ ପର୍ସନା ନନଗ୍ରାଟା ବା ଅବାଞ୍ଛିତ ବ୍ୟକ୍ତି ଘୋଷଣା କରାଗଲା । ସେମାନେ ଗୋଟିଏ ସପ୍ତାହ ଭିତରେ ପାକିସ୍ତାନ ଫେରିବେ । ଭାରତ ମଧ୍ୟ ପାକିସ୍ତାନରେ ଥିବା ତାର ଦୂତାବାସରୁ ସାମରିକ ପରାମର୍ଶଦାତାଙ୍କୁ ଫେରାଇ ଆଣିବ । ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ପାଇଁ ନିର୍ଦେଶ ଦିଆଯାଇଛି।
ସେହିପରି ଭାରତର ଆଇଟି ମନ୍ତ୍ରଣାଳୟ ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି । ପାକିସ୍ତାନ ସୋସିଆଲ ମିଡିଆକୁ ଭାରତରେ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଆଜି ପରଠାରୁ ପାକିସ୍ତାନ ସୋସିଆଲ ମିଡିଆରେ ଭାରତରେ ଚାଲିବ ନାହିଁ। ଭାରତରେ ପାକ୍ ସରକାରଙ୍କ ‘x’ ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଛି । ପେହଲଗାମ ଆକ୍ରମଣ ନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ସେପଟେ ଆଜି ସକାଳ ସାଢ଼େ ୧୦ଟାରେ ରହିଛି ସିଡବ୍ଲୁସି ବୈଠକ । ବୈଠକରେ ଯୋଗ ଦେବାକୁ ଆମେରିକା ଗସ୍ତରୁ ଅଧାରୁ ଫେରି ଆସିଛନ୍ତି ରାହୁଲ ଗାନ୍ଧୀ ।