ଭୁବନେଶ୍ୱର : ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ । ସଅଳ ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ । ଗତକାଲି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲିଥିବା ୧୧୩୧ ପଦବୀ ସକାଶେ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଥିଲା । ତେବେ ସନ୍ଧ୍ୟାରେ ଉପନିର୍ବାଚନ ବାତିଲ ସମ୍ବନ୍ଧିତ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନ୍ୟପଟେ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତା ତଥା ବିଜେଡି ଗଣମାଧ୍ୟମ ସଂଯୋଜକ ଡ଼.ଲେନିନ ମହାନ୍ତି । ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଅପରିପକ୍ୱ ଓ ଅନୁଭୂତି ବିହୀନ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଡ଼ ମହାନ୍ତି କହିଥିଲେ ଯେ, ରାଜ୍ୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ୨୪ ଘଣ୍ଟା ମଧ୍ୟରେ ଏଭଳି ନିଷ୍ପତ୍ତି ପରିବର୍ତ୍ତନ କରିବା କମିଶନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ ଗ୍ରହଣୀୟ ନୁହେଁ। ବିଜ୍ଞପ୍ତି ପ୍ରକାଶ କରିବା ସମୟରେ ସରକାର କ’ଣ ମୌସୁମୀ ଆଗମନ ବିଷୟରେ ଅବଗତ ନଥିଲେ କି ?
ସୂଚନାନୁସାରେ,ଆସନ୍ତା ଜୁନ୍ ୨୩ ତାରିଖରେ ହୋଇଥା’ନ୍ତା ପଞ୍ଚାୟତ ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦ ଜିଲ୍ଲାର ୪୩ ସରପଞ୍ଚ, ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ଓ ୨୨ ଜିଲ୍ଲାର ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହୋଇଥା’ନ୍ତା । ଏପରିକି ୨୨ ତାରିଖ ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି କରାଯାଇଥା’ନ୍ତା । ତେବେ ଜାରି ହୋଇଥିବା ବିଜ୍ଞପ୍ତି ରଦ୍ଦ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ଆଉ ଥରେ ତାରିଖ ଘୋଷଣା କରାଯିବ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ ।