ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ବାଲି ଗସ୍ତରେ ଯିବେ । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ଜି-୨୦ ସମ୍ମିଳନୀ ଭାରତରେ ଆୟୋଜନ ହେବ । ଏବେ ଇଣ୍ଡୋନେସିଆ ଏହାର ଅଧ୍ୟକ୍ଷତା କରୁଛି । ଭାରତ ବିଧିବଦ୍ଧ ଭାବେ ଇଣ୍ଡୋନେସିଆଠାରୁ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବ । ବାଲିରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ରୁଷ ଓ ୟୁକ୍ରେନ ଯୁଦ୍ଧ ସମସ୍ତଙ୍କ ଫୋକସରେ ରହିଛି । ଏହି ସମ୍ମିଳନୀର ଥିମ ରିକଭର ଟୁଗେଦର, ରିକଭର ଷ୍ଟ୍ରଙ୍ଗର ରହିଛି । ଖାଦ୍ୟ, ଶକ୍ତି, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ଟ୍ରାନ୍ସଫରମେସନ ସମ୍ପର୍କରେ ଜି-୨୦ ଦେଶୁଗୁଡ଼ିକ ଆଲୋଚନା କରିବେ । ସମ୍ମିଳନୀରେ ଶେଷ ଦିନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ୱିଡୋଡୋ ବିଧିବଦ୍ଧ ଭାବେ ଜି୨୦ର ଅଧ୍ୟକ୍ଷତା ଦାୟିତ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବେ । ଭାରତ ସରକାର ଡିସେମ୍ବର ୧ରୁ ଜି-୨୦ ଦେଶଗୁଡ଼ିକର ଅଧ୍ୟକ୍ଷତା କରିବେ ।
ଅନ୍ୟପକ୍ଷରେ ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେବେନାହିଁ । ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଏହାକୁ ନେଇ ରୁଷ ଓ ପଶ୍ଚିମ ଦେଶଗୁଡ଼ିକ ମୁହାଁମୁହିଁ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି ।
Comments are closed.