ଚେନ୍ନାଇ: ନଭେମ୍ବର ୧୮: ଦକ୍ଷିଣର ସୁପରଷ୍ଟାର ଅଭିନେତା ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ’ ଓଟିଟି ପ୍ଲାଟଫର୍ମ ‘ଆମାଜନ ପ୍ରାଇମ୍’ରେ ମୁକ୍ତିଲାଭ କରିବା ଦିନରୁ ହିଁ ବିବାଦ ଘେରରେ ରହିଛି । ଦିନକୁ ଦିନ ଏହି ବିବାଦ ବଢ଼ିବାରେ ଲାଗିଛି । ଏନେଇ ପ୍ରଥମେ ସୂର୍ଯ୍ୟାଙ୍କୁ ଧମକ ମିଳିଥିଲା ବେଳେ ଏବେ ତାଙ୍କ ଉପରେ ଆକ୍ରମଣ କଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ପିଏମକେର ପଦାଧିକାରୀ ପଲାନିସ୍ୱାମୀ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୂର୍ଯ୍ୟାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଫିଲ୍ମରେ ସୂର୍ଯ୍ୟା ଜଣେ ଓକିଲ ‘ଚନ୍ଦ୍ରୁ’ ଭୂମିକାରେ ଅଭିନୟ କରିବା ସହିତ ଦେଶରେ ଚାଲିଥିବା ଜାତିପ୍ରଥାକୁ ସେ ବ୍ୟାଖ୍ୟା କରିଛନ୍ତି । ଏହାକୁ ନେଇ ବନିୟାର ସମ୍ପ୍ରଦାୟ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କର ସମ୍ପ୍ରଦାୟର ଛବିକୁ ମଳିନ କରାଯାଉଥିବା ଅଭିଯୋଗ କରିଛନ୍ତି ।
ସୂର୍ଯ୍ୟାଙ୍କ ଫିଲ୍ମକୁ ପିଏମକେ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଭିସିକେ ଦଳର ପ୍ରମୁଖ ଏହା ଉପରେ ବଡ ପ୍ରତିକ୍ର୍ରିୟା ଦେଇଛନ୍ତି । ସେ କହିଛନ୍ତି, ଶସ୍ତା ରାଜନୀତି ପାଇଁ ପିଏମକେ ସବୁବେଳେ ବିବାଦ ସୃ୍ଷଫି କରିଥାଏ । ସେମାନେ କେବଳ ସୂର୍ଯ୍ୟାଙ୍କୁ ଭୟଭୀତ କରୁନାହାନ୍ତି ବରଂ ଏମାନଙ୍କର କାର୍ଯ୍ୟକଳାପ ଲୋକତନ୍ତ୍ର ଓ ସମ୍ବିଧାନ ପାଇଁ ବଡ ବିପଦ । ଲୋକତନ୍ତ୍ରରେ ବିଶ୍ୱାସ କରୁଥିବା ଅଧିକାଂଶ ତାମିଲନାଡୁ ବାସିନ୍ଦା ପିଏମକେକୁ ବିରୋଧ କରନ୍ତି । ତେଣୁ ପୋଲିସ ଏଭଳି ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।
ସୂଚନା ଥାଉଯେ, ଏହି ଫିଲ୍ମକୁ ବିରୋଧ କରି ନଭେମ୍ବର ୧୪ ତାରିଖ ଦିନ ରାଜନୈତିକ ଦଳର କିଛି କର୍ମକର୍ତ୍ତାମାନେ ମୟିଲାଡୁତୁରୈ ସିନେମା ଘର ଉପରେ ଆକ୍ରମଣ କରିଥିଲେ । ଏହାସହିତ ମ୍ୟାନେଜରଙ୍କୁ ଜବରଦସ୍ତ ସିନେମାର ସ୍କ୍ରିନ୍ ବନ୍ଦ କରିବାକୁ ଧମକ ଦେଇଥିଲେ । ଏହା ବ୍ୟତୀତ ବନିୟାର ସମୁଦାୟ ଜୟଭୀମ ସିନେମାର ପ୍ରଯୋଜକ ଓ ଅଭିନେତା ସୂର୍ଯ୍ୟାଙ୍କ ବିରୋଧରେ ଆଇନଗତ ନୋଟିସ ମଧ୍ୟ ପଠାଇଛନ୍ତି ।
Comments are closed.