ଭୁବନେଶ୍ୱର : ରାଜ୍ୟରେ ଆଳୁଦର ଖସିବାର ନାଁ ଧରୁନି । ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ ଆଳୁ ଦରରେ କୌଣସି ସୁଧାର ଆସିନାହିଁ । ବର୍ତ୍ତମାନ ରାଜ୍ୟରେ ଆଳୁ ଦର୬୦ ଟପିଲାଣି । ମାସେ ଧରି ରାଜ୍ୟରେ ଆଳୁ ସଙ୍କଟ ଟଳୁ ନଥିବାରୁ ଖାଉଟିଙ୍କ ଅସନ୍ତୋଷ ବଢିବା ସହିତ ବ୍ୟବସାୟୀମାନେ ଚିନ୍ତାରେ ପଡିଲେଣି । ଲୋକଙ୍କ ଖାଇବା ଥାଳିରୁ ଆଳୁ ଗାୟବ ହୋଇଯାଇଥିବାବେଳେ ଆଳୁ ଦର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ।
ଆଜି ପଶ୍ଚିମବଙ୍ଗରୁ ୧୫ ଟି ଆଳୁ ଗାଡି ଆସି ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ପହଂଚିଛି । ମାତ୍ର ଏହା ସମୁଦ୍ରକୁ ଶଙ୍ଖେ ସଦୃଶ । ଯଦିଓ ଏହା ଦ୍ୱାରା ଆଳୁ ଦରରେ ପରିବର୍ତନ ଆସିବ ନାହିଁ ତଥାପି ବଜାରରେ କିଛି ପରିମାଣରେ ଆଳୁ ଅଭାବକୁ ଦୁର କରିବ ବୋଲି ଆଶା । ରାଜ୍ୟରୁ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ୟୁପି ରୁ ଆଳୁ ଆଣୁଥିବାବେଳେ ପୁଣି ପଞ୍ଜାବରୁ ଆଳୁ ଆଣିବା ପାଇଁ ଘୋଷଣା କରିଥିଲେ I ଏହାସତ୍ତ୍ୱେ ଓଡିଶା ବଜାରରେ ଦିନକୁ ଦିନ ଆଳୁ ଦର ବୃଦ୍ଧି ପାଇବାରେ ଲାଗିଛି ।
ଅନ୍ୟପଟେ ନାଫେଡ଼ ମାଧ୍ୟମରେ ଆଳୁ ଯୋଗାଇବାକୁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି । ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ I ଖାଉଟିଙ୍କୁ ଏଣିକି ଆଳୁ ୩୦ଟଙ୍କା ଦରରେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ନିଷତ୍ତି ନେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ ଟନ୍ ଆଳୁ ପାଇଁ ନାଫେଡକୁ ମଧ୍ୟ ଅର୍ଡର ଦିଆଯାଇଛି । ନାଫେଡ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ଏହି ଆଳୁ ଅଣାଯିବ । ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଏହି ଆଳୁ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ଖୁଚୁରା ଦେକାନ ଗୁଡ଼ିକରେ ଏହି ଆଳୁ ଉପଲବ୍ଧ ହେବ । ଆଳୁ ନିର୍ଦ୍ଧାରିତ ଦରରେ ବିକ୍ରି ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)