ଟୋକିଓ ପାରାଲିମ୍ପିକ୍ସରେ ପଦାର୍ପଣ କରି,ସ୍ୱର୍ଣ୍ଣ ପଦକ ଜିତି, ଦେଶ ତଥା ରାଜ୍ୟ ପାଇଁ ଇତିହାସ ରଚିଛନ୍ତି ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ । ସାରା ଦେଶ ଆଜି ତାଙ୍କ ସ୍ୱର୍ଣ୍ଣିମ ସଫଳତାରେ ମସଗୁଲ । ଜନ୍ମମାଟି ଅତାବିରା ସମେତ ସାରା ଓଡ଼ିଶା ଆଜି ଉତ୍ସବମୁଖର ହୋଇ ଉଠିଛି । ପାରା ବିଶ୍ୱ ଚାମ୍ପିଅନସିପ,ଏସୀୟ କ୍ରୀଡ଼ା ପରେ ଶେଷରେ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ସାକାର କରିପାରିଛନ୍ତି ପ୍ରମୋଦ । ରାଜ୍ୟର ପ୍ରଥମ ପାରା କ୍ରୀଡ଼ାବିତ୍ ଭାବେ ପ୍ରମୋଦ ପାରାଲିମ୍ପିକ୍ସରେ ଭାଗ ନେଇଥିଲେ ।
ପଦାର୍ପଣରେ ସ୍ୱର୍ଣ୍ଣ ହାସଲ କରି ରାଜ୍ୟ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି । ସିଙ୍ଗଲ୍ସ ଫାଇନାଲରେ ସେ ଚମତ୍କାର ପ୍ରଦର୍ଶନ କରିବା ସହ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍ରେ ପରାଜିତ କରିଥିଲେ । ଉଭୟ ଗେମ୍ରେ ପ୍ରମୋଦଙ୍କ ଦବ୍ଦବା ଦେଖିବାକୁ ମିଳିଥିଲା । ଅତି ଚମତ୍କାର ପ୍ରଦର୍ଶନ ସହ ସେ ସିଧାସଳଖ ଗେମରେ ବେଥେଲଙ୍କୁ ପରାଜିତ କରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ । କ୍ରୀଡ଼ାଙ୍ଗନରେ ପ୍ରତିଟି ପାଦ ପକାଇବା ସହିତ ଆମ ସମାଜରେ ଭିନ୍ନକ୍ଷମମାନଙ୍କୁ ନେଇ ରହିଥିବା ଭୁଲ ଧାରଣା, ପୂର୍ବାଗ୍ରହ, ନୂ୍ୟନ ଦୃଷ୍ଟିଭଙ୍ଗୀ ଆଦିକୁ ଭାଙ୍ଗି ଆସୁଛନ୍ତି । । ସାହସ, ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ଏମାନେ ଦେଖାଇ ଦେଇଛନ୍ତି ଯେ ଗୋଟିଏ ଅଙ୍ଗର ଅନୁପସ୍ଥିତି ବା ଦୁର୍ବଳତା ମଣିଷକୁ କୌଣସି ରୂପେ ଅକ୍ଷମ କରିଦେଇ ନଥାଏ, ବରଂ ଉଚିତ ସୁଯୋଗ ଓ ଉଦ୍ୟମ ଦ୍ୱାରା ଭିନ୍ନକ୍ଷମମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇପାରନ୍ତି । ଏମାନେ ହେଉଛନ୍ତି ପରାକ୍ରମୀ ପାରାଲିମ୍ପିଆନ୍ ।
ପୋଲିଓ ଆକ୍ରାନ୍ତ ଜଣେ ଖେଳାଳି ଦିନେ ଚାରି ଥର ବିଶ୍ୱବିଜେତା ଓ ଥରେ ପାରାଲିମ୍ପିକ୍ ବିଜେତା ହେବ କେବେ ବିଶ୍ୱାସ କରି ହୁଏନି । ପ୍ରମୋଦ ଭଗତ ଏହା କରି ଦେଖାଇଛନ୍ତି । ପ୍ରମୋଦଙ୍କ ପରିବାର ବିହାରରୁ ଆସିଥିଲେ ମଧ୍ୟ ବରଗଡ଼ ଜିଲ୍ଲା ଅତାବିରାରେ ତାଙ୍କ ଜନ୍ମ । ପ୍ରମୋଦ ଏବେ କିନ୍ତୁ ଭୁବନେଶ୍ୱରର ଅଧିବାସୀ । ମାତ୍ର ପାଞ୍ଚ ବର୍ଷ ବୟସରେ ତାଙ୍କ ବାମଗୋଡ଼ ପୋଲିଓ ସଂକ୍ରମିତ ହୋଇଥିଲା । ୧୩ ବର୍ଷ ବୟସରେ ସେ ଏକ ବ୍ୟାଡ଼ମିଣ୍ଟନ ମ୍ୟାଚ ଦେଖିବା ପରେ ଏହାର ପ୍ରେମରେ ପଡ଼ିଯାଇଥିଲେ । ୧୫ ବର୍ଷ ବୟସରେ ସାଧାରଣ ବର୍ଗର ଖେଳାଳିଙ୍କ ସହ ଖେଳି ନିଜକୁ ବିକଶିତ କରିଥିଲେ । ଖେଳ ଜୀବନରେ ଦେଢ଼ ଦଶନ୍ଧି ଭିତରେ ପ୍ରମୋଦ କେବଳ ପାରାଲିମ୍ପିକ୍ସ ପଦକ ଛଡ଼ା ଅନ୍ୟ ସମସ୍ତ ପ୍ରମୁଖ ପଦକ ଜିତିସାରିଥିଲେ । ଏବେ ସେହି ଅଧୁରା ସ୍ୱପ୍ନ ସାକାର ହୋଇଛି ।
ପ୍ରଥମ ଓଡ଼ିଆ ଭାବେ ମଧ୍ୟ ପାରାଲିମ୍ପିକ୍ସ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଦ୍ରୋଣାଚାର୍ଯ୍ୟ ଶିବ ପ୍ରସାଦ ଦାସଙ୍କ ପ୍ରଶିକ୍ଷଣ ତାଙ୍କୁ ପ୍ରସ୍ପୁଟିତ କରିଛି । ଟୋକିଓ ସ୍ୱର୍ଣ୍ଣ ପଦକ ପୂର୍ବରୁ ୬ଟି ବିଶ୍ୱ ପଦକ ସେ (୨୦୧୩ ପୁରୁଷ ଯୁଗଳ ସ୍ୱର୍ଣ୍ଣ, ୨୦୧୫ ପୁରୁଷ ଏକକ ସ୍ୱର୍ଣ୍ଣ ଓ ଯୁଗଳ କାଂସ୍ୟ, ୨୦୧୭ରେ ପୁରୁଷ ଏକକ କାଂସ୍ୟ, ୨୦୧୯ରେ ପୁରୁଷ ଏକକ ଓ ଯୁଗଳ ସ୍ୱର୍ଣ୍ଣ) କବ୍ଜା କରି ସାରିଥିଲେ । ୨୦୧୯ ସାରଜା ବିଶ୍ୱକ୍ରୀଡ଼ାରେ ୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୨୦୧୮ ଏସୀୟ ପାରାକ୍ରୀଡ଼ାରେ ୧ ସ୍ୱର୍ଣ୍ଣ, ୨ ରୌପ୍ୟ, ଏସୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୨ କାଂସ୍ୟ (୨୦୧୬, ବେଜିଂ) ସାମିଲ ରହିଛି । ମୋଟ ଉପରେ ଦେଢ଼ ଦଶନ୍ଧିର କ୍ରୀଡ଼ା ଜୀବନରେ ପ୍ରମୋଦ ୫୦ରୁ ଉଦ୍ଧ୍ୱର୍ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି । ବିଶ୍ୱର ଏକ ନମ୍ବର ସ୍ଥାନ ଦଖଲ କରିବା ସହ ଚାରି ଥର ବିଶ୍ୱ ଏବଂ ଥରେ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ହେବା କାରଣରୁ ପ୍ରମୋଦଙ୍କୁ ୨୦୧୯ ମସିହାରେ କେନ୍ଦ୍ର ସରକାର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରିଥିଲେ । ସେହି ବର୍ଷ ସେ ମଧ୍ୟ ରାଜ୍ୟର ଶ୍ରେଷ୍ଠ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଅର୍ଜନ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସ୍ଜାର ବାର୍ଷିକ କ୍ରୀଡ଼ା ପୁରସ୍କାର ହାସଲ କରିଥିଲେ । ପ୍ରମୋଦ ପ୍ରଥମ ଏବଂ ଏକମାତ୍ର ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେଇଥିଲେ । ପଦାର୍ପଣ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣିମ ସଫଳତା ହାସଲ କରି ପ୍ରମୋଦ ରାଜ୍ୟ ପାଇଁ ଇତିହାସ ରଚିଛନ୍ତି । ଦେଶର ପ୍ରଥମ ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ସେ ସ୍ୱର୍ଣ୍ଣ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ ୫ଟି ବିଶ୍ୱ ଚାମ୍ପିଅନସିପ ସ୍ୱର୍ଣ୍ଣ ସହ ପ୍ରମୋଦ ଅନ୍ତର୍ଜାତୀୟ ଇଭେଣ୍ଟରେ ମୋଟ ୨୩ଟି ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି ।
ଡ.ଅରୁନ୍ଧତୀ ଦେବୀ
ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନ, କଟକ, ମୋ- ୯୯୩୭୧୭୨୮୧୦
Comments are closed.