ଅବପାତ ଦୁର୍ବଳ, ଆସନ୍ତା ୧୮ ରୁ ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହାର ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଛତିଶଗଡ ଉପରେ କେନ୍ଦ୍ରୀଭୂତ ଅବପାତ ପଶ୍ଚିମ ଉତ୍ତର ମୁହାଁ ହୋଇ ଗତି କରିବା ସହ ଦୁର୍ବଳ ହୋଇଛି । ଏହା ଅବପାତରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପକୁ ଖସିଆସିଛି । ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଏହା ଧୀରେଧୀରେ ଉତ୍ତରପଶ୍ଚିମ ଦିଗରେ ଗତି  କରିବା ସହ ୪୮ ଘଣ୍ଟା ମଧ୍ୟରେ ଏହା ମଧ୍ୟପ୍ରଦେଶ ଅତିକ୍ରମ କରିବ। ଫଳରେ ଏବେ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ। ତେବେ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଯାଇଛି। ଫଳରେ ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ମୌସୁମୀ ସକ୍ରିୟ ରହିଥିବା ଯୋଗୁ ରାଜ୍ୟରେ ଦୁଇ ଦିନ ଯାଏ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବୁଧବାର ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଜାରି ରହିବା ସହ ବାକି ଅଞ୍ଚଳ ଗୁଡ଼ିକରେ ପାଖ ଶୁଖିଲା ରହିବ।

ସେହିପରି ସେପ୍ଟେମ୍ବର ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଅନ୍ୟପକ୍ଷେ, ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୫% ଅଧିକ ରହିବ I

Comments are closed.