ଭୁବନେଶ୍ୱର : ଆସନ୍ତା କଲି ଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ସେଠାରୁ ରାଜଭବନ ଯିବେ ରାଷ୍ଟ୍ରପତି । ଏଥିପାଇଁ କାରକେଡ୍ ରିହରସେଲ ସହିତ ବ୍ୟାପକ ବ୍ୟବସ୍ଥା କରାଯାଇଛି I
୨୫ ତାରିଖ ଦିନ ରାଷ୍ଟ୍ରପତି ରାଜଭବନଠାରେ ରାଜ୍ୟର ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ଏହାପରେ ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ ।
ଏହାପରେ ୨୭ ତାରିଖ ଦିନ ଭୁବନେଶ୍ବର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗ ସେବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୁଲିସ । ଏଥି ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ରାଙ୍କ ଅଧିକାରୀ ରହିବେ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
Comments are closed.