ଗାନ୍ଧିନଗର : ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ହୀରାବେନ I ଆଜି ଭୋର ୩.୩୦ରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପାଇ ମୋଦି ତୁରନ୍ତ ବିମାନ ଯୋଗେ ଗୁଜରାଟ ଆସିଥିଲେ। ଭାଇ ପଙ୍କଜ ମୋଦୀଙ୍କ ବାସଭବନରୁ ହୀରାବେନଙ୍କ ପ୍ରାର୍ଥୀବ ଶରୀରକୁ ଗାନ୍ଧୀନଗର ସେକ୍ଟର -୬ ଶ୍ମଶାନକୁ ନିଆଯିବା ପରେ ସେଠାରେ ମନ୍ତ୍ରପାଠ ସହ ସମସ୍ତ ରୀତି ଶେଷ କରାଯାଇଥିଲା I ଏହାପରେ ଭାଇଙ୍କ ସହ ମିଶି ଗାନ୍ଧୀନଗର ଶ୍ମଶାନରେ ମା’ଙ୍କୁ ମୁଖାଗ୍ନି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାଇ ପଙ୍କଜ ମୋଦୀ । ହୀରାବେନଙ୍କ ଅନ୍ତିମ ସଂସ୍କାର ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ।
ଘର ପାଖରୁ ଗୋଟିଏ ଗାଡ଼ି ଯୋଗେ ହୀରାବେନଙ୍କ ମରଶରୀରକୁ ଗାନ୍ଧିନଗର ଶ୍ମଶାନ ଯାଏ ନିଆଯାଇଥିଲା। ଶ୍ମଶାନ ନିକଟରେ ମଧ୍ୟ ପୁଣିଥରେ ମୋଦି ଓ ତାଙ୍କ ଭାଇମାନେ ମା’ଙ୍କ କୋକେଇକୁ ସଂସ୍କାର ଗୃହ ଯାଏ କାନ୍ଧରେ ନେଇଥିଲେ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମୋଦି ମା’ଙ୍କୁ ମୁଖାଗ୍ନି ଦେବାର ବେଳର ଭିଡିଓ ସାମ୍ନାକୁ ଆସିଛି। ସେ ମୁଖାଗ୍ନି ଦେବା ପରେ ଏହାର ଚାରି ପାଖରେ ବୁଲି ମା’ଙ୍କୁ ଅନ୍ତିମ ବିଦାୟ ଓ ପ୍ରଣାମ ଜଣାଇଥିଲେ।
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ରେ ଆସିଥିବାବେଳେ ଡିସେମ୍ବର ୪ ତାରିଖରେ ଶେଷଥର ପାଇଁ ପ୍ରଧାନ ମନ୍ତ୍ରୀ ନିଜ ମା’ଙ୍କୁ ଭେଟିଥିଲେ I
ବୁଧବାର ସକାଳେ ୧୦୦ ବର୍ଷୀୟ ହୀରାବେନ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେ କଫ ଜନିତ ରୋଗରେ ପୀଡିତ ଥିଲେ I ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ। ତେବେ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩.୩୦ରେ ହୀରାବେନଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ମା’ଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, ‘‘ଈଶ୍ୱରଙ୍କ ଚରଣରେ ଏକ ଗୌରବମୟ ଶତାବ୍ଦୀର ଅବସାନ ଘଟିଛି। ମା’ଠାରେ ମୁଁ ସବୁବେଳେ ଏହି ତ୍ରିମୂର୍ତ୍ତିକୁ ଅନୁଭବ କରିଛି। ଯେଉଁଠି ଏକ ତପସ୍ବୀର ଯାତ୍ରା, ନିଷ୍କାର୍ମ କର୍ମଯୋଗୀର ପ୍ରତୀକ ଏବଂ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ହୋଇଛି।’’
Comments are closed.