ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଆର ଭେଙ୍କଟରମଣି ଦେଶର ନୂଆ ଆଟର୍ଣ୍ଣି ଜେନେରାଲ (ଏଜି) ଭାବେ ନିଯୁକ୍ତ ପାଇଛନ୍ତି। କେନ୍ଦ୍ର ସରକାର ତାଙ୍କୁ ଏହି ପଦରେ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି I ସେ ଅକ୍ଟୋବର ୧ରୁ ଏଜି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଭେଙ୍କଟରମଣିଙ୍କ ଏଜି ଭାବେ ନିଯୁକ୍ତି ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲ୍ କେ.କେ ଭେନୁଗୋପାଲଙ୍କ କାର୍ଯ୍ୟକାଳ ୩୦ ସେପ୍ଟେମ୍ବରରେ ଶେଷ ହେବ । ସେ ୨୦୧୭ରୁ ଏହି ପଦରେ ରହିଛନ୍ତି। ସେ ଅବସର ନେବା ପରେ ଭେଙ୍କଟରମଣି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହାପୂର୍ବରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ କେନ୍ଦ୍ର ସରକାର ପୁଣି ଏଜି ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଏହା ପଛରେ କୌଣସି କାରଣ ଥିବାନେଇ ସେ କହି ନଥିଲେ।
୨୦୧୪ରୁ ୨୦୧୭ ଯାଏ ରୋହତଗୀ ଦେଶର ଏଜି ଭାବେ କାମ କରିଥିଲେ। ହେଲେ ଏବେ ସେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଭେଙ୍କଟରମଣିଙ୍କୁ ଦେଶର ଏଜି କରାଯାଇଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି।
ଆର.ଭେଙ୍କଟାରାମଣି ୧୩ ଏପ୍ରିଲ ୧୯୫୦ ରେ ପଣ୍ଡିଚେରୀରେ ଜନ୍ମଗ୍ରହଣ କରିଥିଲେ I ସେ ଜୁଲାଇ ୧୯୭୭ ରେ ତାମିଲନାଡୁ ବାର କାଉନସିଲରେ ଆଡଭୋକେଟ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏହାପରେ ସେ ୧୯୭୯ ରେ ବରିଷ୍ଠ ଓକିଲ ପିପି ରାଓଙ୍କ ଚାମ୍ବରରେ ସୁପ୍ରିମକୋର୍ଟରେ ଯୋଗ ଦେଇଥିଲେ ।
ଏହାପରେ ସେ ୧୯୮୨ ମସିହାରେ ସୁପ୍ରିମକୋର୍ଟରେ ସ୍ୱାଧୀନ ଭାବରେ କେଶ ଲଢ଼ିଥିଲେ I ସେ ୧୯୯୭ରେ ତାଙ୍କୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀର ମାନ୍ୟତା ଦେଇଥିଲେ। । ସୂଚନାନୁସାରେ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ସେ ଶତାଧିକ ମାମଲା ଲଢ଼ିଛନ୍ତି । କେନ୍ଦ୍ର, ବିଭିନ୍ନ ରାଜ୍ୟ, ବିଶ୍ୱବିଦ୍ୟାଳୟ ଓ ସରକାରୀ ସଂସ୍ଥା ପାଇଁ ସେ ମାମଲା ପରିଚାଳନ କରିଛନ୍ତି। ୨୦୧୦ ଓ ୨୦୧୩ରେ ସେ ଆଇନ କମିଶନର ସଦସ୍ୟ ଭାବେ କାମ କରିବାର ଅଭିଜ୍ଞତା ଭେଙ୍କଟରମଣିଙ୍କ ପାଖରେ ରହିଛି ।
माननीय राष्ट्रपति, श्री आर. वेंकटरमणी, वरिष्ठ अधिवक्ता को दिनांक 1 अक्टूबर, 2022 से भारत के महान्यायवादी के पद पर नियुक्त करती हैं।
Honorable President is pleased to appoint Shri R. Venkataramani, Senior Advocate as Attorney General for India w.e.f. 1st October 2022. pic.twitter.com/MnChp8TRGv
— Office of Kiren Rijiju (@RijijuOffice) September 28, 2022
ଆର ଭେଙ୍କଟାରମଣି ୪୨ ବର୍ଷ ଯାଏ ଆଇନ ସହିତ ଜଡିତ ରହିଛନ୍ତି I ସେ ନିକଟରେ ଅIମ୍ରପାଲି ଏବଂ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ।
ଭାରତ ସରକାରରେ ଆଟର୍ଣ୍ଣି ଜେନେରାଲ ପଦକୁ ଅତି ଗୁରୁତ୍ୱପୂର୍ଣ୍ଣ ଧରାଯାଏ । ଅଟର୍ଣ୍ଣି ଜେନେରାଲ ଭାରତ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତାର ଭୂମିକା ଗ୍ରହଣ କରିଥାନ୍ତି ଏବଂ ସବୁ ଆଇନଗତ ମାମଲାରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥାନ୍ତି । ଭାରତ ସରକାରଙ୍କ ପରାମର୍ଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆଟର୍ଣ୍ଣି ଜେନେରାଲଙ୍କ ନିଯୁକ୍ତି ହୋଇଥାଏ ।
Comments are closed.