ପୁରୀ: ମେ ୦୯: ଆଜି ପୁରୀର ସ୍ୱର୍ଗଦ୍ୱାରରେ ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି । ପ୍ରଫେସର କର ଗତକାଲି ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଜ୍ୟେଷ୍ଠପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି । ସ୍ୱର୍ଗତ କର ଜଣେ ବାଗ୍ନୀ, ପ୍ରବଚକ, ସାହିତ୍ୟିକ, ଗବେଷକ, ଶିକ୍ଷାବିତ ଓ ନାଟ୍ୟକାର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।
ତାଙ୍କର ଶେଷ ଦର୍ଶନ କରିବା ନିମନ୍ତେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଆସିଥିଲେ ।
ପୁରୀ ସ୍ୱର୍ଗଦ୍ୱାରଠାରେ କନିଷ୍ଠ ପୁତ୍ର ରାଜୀବ କର, ବଡ଼ ବୋହୂ ନିବେଦିତା କର, ସାନ ବୋହୁ ଗୀତା କର, ଝିଅ ସାଗରିକା ପ୍ରହରାଜ, ସମ୍ବିତା କର, ଜ୍ୱାଇଁ ମନମୋହନ ପ୍ରହରାଜ, ଭୁବନେଶ୍ୱର ମହାପାତ୍ର, ନାତି ଅଂଶୁମାନ କର, ସୁମନ କର, ପ୍ରଦୀପ କର, ନାତୁଣୀ ବୋହୂ ଦେବସ୍ମିତା କର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିଲେ । ଅନେକ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟ ଓ ସଂସ୍କୃତିପ୍ରେମୀ ଶେଷ ଦର୍ଶନ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ।
Comments are closed.