ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କ୍ରମାଗତ ଭାବେ ଦୁର୍ଘଟଣାମାନ ଘଟୁଥିବା ଲକ୍ଷ କରାଯାଇଛି । ବିଶେଷ କରି ବାଇକ୍ ଦୁର୍ଘଟଣା ଅଧିକ ମାତ୍ରାରେ ବୃଦ୍ଧିପାଉଥିବା କାରଣରୁ, ପୋଲିସର ଚିନ୍ତା ବଢୁଛି । ଦୃତଗତିରେ ଗାଡ଼ି ଚଳାଇବା ସହ ଆବଶ୍ୟକୀୟ ସତର୍କତା ପ୍ରତି ଧ୍ୟାନ ନଦେବା ଦୁର୍ଘଟଣାର ମୁଖ୍ୟକାରଣ ବୋଲି କୁହାଯାଇଛି ।
ଇତିମଧ୍ୟରେ ଦେଖାଯାଇଛିଯେ, ଗତ ଜାନୁଆରୀ ମାସରୁ ଏଯାବତ୍ ୧୫୩ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିମଧ୍ୟରୁ ଅଧିକ ଗୁରୁତର ଦୁର୍ଘଟଣା ୭୧ଟି ଘଟଣାଥିବା ବେଳେ ମୃତୁ୍ୟ ସଂଖ୍ୟା ୮୪ରେ ପହଞ୍ଚିଛି । କେବଳ ୬ମାସ ମଧ୍ୟରେ ୮୪ଜଣଙ୍କର ଦୁର୍ଘଟଣା ଜନିତ ମୃତୁ୍ୟ ଉଦ୍ବେଗ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାରେ ଦେଶୀମଦର ବ୍ୟାପକ କାରବାର ବୃଦ୍ଧି ପାଇଥିବା ସହିତ ବେପରୁଆ ଗାଡ଼ି ଚାଲଣା ଦୁର୍ଘଟଣା ପଛର ଅନ୍ୟଏକ ରହସ୍ୟ ବୋଲି ଜଣାପଡିଛି । ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନ ଦୋକାନ ଭଳି ଦେଶୀମଦର ବିକ୍ରି ବଟା ଅବାଧରେ ଚାଲିଛି । ପ୍ରତି ଛକରେ ଦେଶୀ ମଦ ପାଉଚ୍ର ଖୋଲା ଖୋଲି ବିକ୍ରି ଓ ବହୁଳ ବ୍ୟବହାର ବିପଦ ସୃଷ୍ଟି କରୁଛି ।
ଗତ ଅପ୍ରେଲ ୨୫ତାରିଖ ଦିନ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଭର୍ଚ୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିଲା । ସେଥିରେ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ରାମ ନିବାସ ସିର୍କା ଏଜେଣ୍ଡା ଅନୁସାରେ ସଭା ପରିଚାଳନା କରିଥିଲେ । ଏନ୍.ଏଚ.୨୬ ଓ ଅନ୍ୟ ରାସ୍ତାରେ ଘଟିଥିବା ଦୁର୍ଘଟଣା ସ୍ଥଳକୁ ଯୁଗ୍ମ ବୈଷୟିକ କମିଟି ପରିଦର୍ଶନ କରି ଦାଖଲ କରିଥିବା ରିପୋର୍ଟକୁ ଆଧାର କରି ଆବଶ୍ୟକ ସାଇନ୍ ବୋର୍ଡ ମରାମତି, ସତର୍କତା ସାଇନ୍ ବୋର୍ଡ, ବେଗ ପରିସୀମା ବୋର୍ଡ, ସୋଲାର ବ୍ଲିଙ୍କର, ରମ୍ୱଲର, ଓଡିଆ ଲିଖିତ ସାଇନ୍ ବୋର୍ଡ, ସଡ଼କ ସୁରକ୍ଷା ସାଇନ ବୋର୍ଡ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ ପୂର୍ତ୍ତବିଭାଗ, ଆର୍.ଡି. ଓ ଏନ୍.ଏଚ୍. ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।
ମଦ ପିଇ ଗାଡ଼ି ଚାଳନା, ଅତ୍ୟଧିକ ଗତି, ମୋବାଇଲ ବ୍ୟବହାର ପୂର୍ବକ ଗାଡ଼ି ଚାଳନା,ବିନା ହେଲମେଟ ଓ ସିଟ୍ ବେଲଫରେ ଗାଡି ଚାଳନା, ଅତ୍ୟଧିକ ଓଜନ ତଥା ଅଧିକ ଯାତ୍ରୀ ନେଇ ଗାଡ଼ି ଚାଳନା, ସିଗ୍ନାଲ ଜମ୍ପିଂ ଅପରାଧକୁ ରୋକିବା ନିମନ୍ତେ ପୋଲିସ ଓ ଆର୍.ଟି.ଓ. ବିଭାଗ ତରଫ ରୁ ଯାଞ୍ଚ କରାଯାଉଛି ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା । ଦୁଃଖ ଓ ପରିତାପର ବିଷୟ ଏହି ୬ମାସ ମଧ୍ୟରେ ୮୪ଜଣଙ୍କର ମୂଲ୍ୟବାନ ଜୀବନ ଚାଲିଯାଇଛି । ଏନ୍.ଏଚ.୨୬ ରେ ୯ଟି ବ୍ଲାକ ସ୍ପଟ୍ରେ ସମସ୍ତ ସାଇନ୍ ବୋର୍ଡକୁ ସୁନିଶ୍ଚିତ କରିବା ତଥା ଅହରହ ପୋଲିସ ପେଟ୍ରୋଲିଂ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଠିକ୍ରୂପେ ପାଳନ କରାଯାଉନାହିଁ । ବିନା ହେଲମେଟରେ ବାଇକ୍ ଚଳାଇବା ଧରପଗଡ କାର୍ଯ୍ୟ ପ୍ରହଶନରେ ପରିଣତ ହୋଇଛି । ସହର ବାହାରେ ହେଲମେଟ୍ ଚେକିଙ୍ଗକୁ କଡା କଡି କରାଯାଉନଥିବା ବେଳେ ବେଳେ ଭୋର ସମୟରୁ କଲେଜ ଛକ ପାଖରେ ଇଣଫରସେଫଫର ଗାଡି ଯାଞ୍ଚ କାର୍ଯ୍ୟ କରୁଥିବା ଲକ୍ଷକରାଯାଇଛି । ଯାହା ଫଳରେ ଭୋର ସମୟରୁ ସ୍କୁଲ କଲେଜ ଯିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀମାନେ ବହୁ ହଟ ହଟାର ଶିକାର ହେଉଥିବା କୁହାଯାଇଛି । ସହର ମଧ୍ୟରେ କଡା ପୋଲିସ୍ ପାଟ୍ରୋଲିଙ୍ଗ ଦ୍ୱାରା ରାସ୍ତା ଜବରଦଖଲ କରୁଥିବା ବ୍ୟକ୍ତିଙ୍କୁ ତାଗିଦ୍ ନକରିବା ଦ୍ୱାରା ସହର ମଧ୍ୟରେ ଜବରଦଖଲ ବୃଦ୍ଧି ପାଉଛି ।
Comments are closed.